ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମୁନିଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ “ସରଗିଫୁଲ-୨୦୨୩’ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁନିତା କୁମାରୀ ସାହୁଙ୍କ ସଭାପତିତ୍ୱ ଓ ବରିଷ୍ଠ ଶିକ୍ଷକ ବିବେକାନନ୍ଦ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ସୁଶ୍ରୀ ଏମ.ଅନୁରାଧା, ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଜି.ଭାସ୍କର ରାଓ, ସମ୍ମାନିତ ଅତିଥି ଗୋଷ୍ଠୀ କଲ୍ୟାଣ ଅଧିକାରୀ ଶ୍ରୀମାନ କୃଷ୍ନଚନ୍ଦ୍ର ବେହେରା ଓ ଅମ୍ବାଦଳା ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋବିନ୍ଦ ଶବର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ଉନ୍ମେଷ ଓ ସେମାନଙ୍କୁ ଆଗକୁ ବଢ଼ାଇବାର ଅଭିନବ ପ୍ରୟାସ କାର୍ଯ୍ୟକ୍ରମର ମୂଳମନ୍ତ୍ର ବୋଲି ପ୍ରାରମ୍ଭିକ ସଭାପତିତ୍ୱ ଅଭିଭାଷଣରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସାହୁ କହିଥିଲେ । ମୁଖ୍ୟଅତିଥି ତହସିଲଦାର ଏମ ଅନୁରାଧା ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉତ୍କୃଷ୍ଟ କଳା ପ୍ରଦର୍ଶନ ମାଧ୍ୟମରେ ମୁନିଗୁଡ଼ା ବ୍ଲକକୁ ରାଜ୍ୟସ୍ତରରେ ସମ୍ମାନ ଆଣି ଦେବାକୁ ଆହ୍ୱାନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଓ କଲ୍ୟାଣ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭା ମାଧ୍ୟମରେ ପ୍ରତିଷ୍ଠା ଆଣିବାକୁ ଆହ୍ୱାନ ଦେବାସହ ଶୁଭକାମନା ଜଣାଇଥିଲେ ।
ସେହିପରି ଅପରାହ୍ନର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଲୋକନୃତ୍ୟ, ସଲୋ, ଗ୍ରୁପ ଡ୍ୟାନ୍ସ, ବକ୍ତୃତା, ଡିବେଟ, କୁଇଜ୍, ଏକକ ଅଭିନୟ,ଏକାଙ୍କିକା ଓ ସଙ୍ଗୀତର ମୂର୍ଚ୍ଛନାରେ ଉପସ୍ଥିତ ଅତିଥି, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ଅତିଥିଙ୍କ ଦ୍ୱାରା ସମସ୍ତ ପ୍ରତିଭାଙ୍କ ଚୟନ କରାଯାଇ ୧ମ ଓ ୨ୟ ସ୍ଥାନରେ ଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସରଗିଫୁଲ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମନୋନୀତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁନିଗୁଡ଼ା ବ୍ଲକର ସମସ୍ତ ୧୧ଟି ସେବାଶ୍ରମ, ଆଶ୍ରମ, ଉଚ୍ଚ ବାଳିକା ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ୧୬୪ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ପତିତପାବନ ଜେନା, ରଶ୍ମିତା ଦିଗାଲ, ନବୀନ ଚନ୍ଦ୍ରକଂଶ ବେହେରା, ଲଣ୍ଡା ବ୍ରେଡ଼େକା, ଅନ୍ନପୂର୍ଣ୍ଣା ବେହେରା, ସସ୍ମିତା ସାମଲ, ଇତିଶ୍ରୀ ପ୍ରିୟଦର୍ଶିନୀ, ନବନିତା ପ୍ରଧାନ, ନୟନ ନାୟକ, ମାଳବିକା ମୁଖାର୍ଜୀ ଓ ତପନ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ପରିଚାଳନାରେ ସହଯୋଗ କରିଥିଲେ ।