‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଲକର ସମସ୍ତ ସରପଞ୍ଚଙ୍କ ବର୍ଜନ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଲକର ସମସ୍ତ ସରପଞ୍ଚ ବର୍ଜନ କରିଛନ୍ତି । ଏନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ୨୫ ପଞ୍ଚାୟତ ପାଇଁ ରାଜ୍ୟ ସରକାର ୧୨.୫୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ଏସମ୍ପର୍କରେ ସରପଞ୍ଚଙ୍କୁ ନ ଜଣାଇ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟ କରାଯାଉଥିବା ସରପଞ୍ଚମାନେ ଅଭିଯୋଗ କରିଛନ୍ତି । ଜନପ୍ରତିନିଧିଙ୍କ ଅଭିଯୋଗ ମୁତାବକ, ରାଜ୍ୟ ସରପଞ୍ଚ ସଂଘ ପକ୍ଷରୁ ସେପ୍ଟେମ୍ବର ୧୫ ତାରିଖରେ ୧୫ ଦଫା ଦାବୀ ନେଇ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ଯାହାକି ପୂରଣ ହୋଇପାରି ନାହିଁ । ଫଳରେ କାର୍ଯ୍ୟକ୍ରମ ବର୍ଜନ କଲୁ ବୋଲି ଦାରିଙ୍ଗବାଡ଼ି ବ୍ଲକ ସରପଞ୍ଚ ସଂଘ ସଦସ୍ୟ ତଥା ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ, କିରିକୁଟି ସରପଞ୍ଚ ଅଶୋକ ପ୍ରଧାନ, ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ଓ ବାଡ଼ାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି । ଏନେଇ ସରପଞ୍ଚଙ୍କ ପକ୍ଷରୁ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ରଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏନେଇ ବିଡ଼ିଓ ପାତ୍ରଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।