ଜିଲ୍ଲାକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନଜନକ ଓସିପିସିଆର ପୁରସ୍କାର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ବାଲ୍ୟ ବିବାହ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନକୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତରଫରୁ ସମ୍ମାନଜନକ ଓସିପିସିଆର ପୁରସ୍କାର ପ୍ରଦାନ କରଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ତ୍ରୟୋଦଶ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ନବରଙ୍ଗପୁର ଜିଲ୍ଲା ପ୍ରଶାସନକୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଜିଲ୍ଲାରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଅଜନ୍ତା ଶୁଭଦର୍ଶନୀ ଓ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ମିଳିତ ଭାବେ ଏହି ପୁରସ୍କାରକୁ ଗ୍ରହଣ କରିଛନ୍ତି । ସେହିପରି ଉମରକୋଟ ବ୍ଲକର ତୋହର୍ରା ଗ୍ରାମର କିଶୋରୀ ବାଳିକା ନବିନା ମାଝୀ ନିଜର ବାଲ୍ୟ ବିବାହକୁ ରୋକି ଜିଲ୍ଲା ପ୍ରଶାସନ ସହଯୋଗରେ ଦକ୍ଷତା ବିକାଶ ଶିକ୍ଷାରେ ଆତ୍ମନିର୍ଭରଶୀଳ ହୋଇଥିବାରୁ କିଶୋରୀ ଚାମ୍ପିୟାନ ଭାବରେ ତାଙ୍କୁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ୱାରା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।

ସୂଚନାଯୋଗ୍ୟ, କିଶୋର କିଶୋରୀଙ୍କୁ ସଶକ୍ତ କରାଇବା ସହିତ ଆସନ୍ତା ୨୦୩୦ ମସିହା ସୁଦ୍ଧା ଓଡ଼ିଶାକୁ ବାଲ୍ୟ ବିବାହମୁକ୍ତ କରାଇବା ନିମନ୍ତେ ରାଜ୍ୟ ସରକାର ଏକ ଯୋଜନାବଦ୍ଧ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଜନସଚେତନ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ଅନୁରୂପ ଭାବରେ ନବରଙ୍ଗପୁର ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡ଼ିକରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଜିଲ୍ଲାପାଳ ଡା. ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ପ୍ରତି ୩ ମାସରେ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟିର ମିଳିତ ବୈଠକ କରାଯାଇ ବାଲ୍ୟ ବିବାହ ରୋକିବା ଓ କିଶୋର କିଶୋରୀଙ୍କୁ ଦକ୍ଷତା ବିକାଶ ଶିକ୍ଷାରେ ଯୋଡ଼ିବାରକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଜିଲ୍ଲାରେ ଅନ୍ୱେଷା ଅଭିଯାନ ଜରିଆରେ ଜିଲ୍ଲାର ସମସ୍ତ ଜାତି ସମାଜ, ପଞ୍ଚାୟତ ରାଜ୍ୟ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲ୍ୟ ବିବାହକୁ ରୋକିବା ଦିଗରେ ଗ୍ରାମ ଗୁଡ଼ିକରେ ସଚେତନ କରାଯାଇ ଗତ ୨୦୨୦ ମସିହାଠାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୯୨୨ଟି ବାଲ୍ୟ ବିବାହକୁ ରୋକାଯିବା ସହିତ ୨୬୪ଟି ରାଜସ୍ୱ ଓ ୬୧୭ଟି ପଡ଼ା ଗ୍ରାମକୁ ମିଶାଇ ମୋଟ ୮୮୧ଟି ଗ୍ରାମକୁ ବାଲ୍ୟ ବିବାହମୁକ୍ତ ଗ୍ରାମ ଭାବରେ ଜିଲ୍ଲା ପ୍ରଶାସନକୁ ଏହି ସମ୍ମାନଜନକ ଓସିପିସିଆର ପୁରସ୍କାର ମିଳିବା ପରେ ବୁଦ୍ଧିଜୀବୀ ମହଲରେ ଜିଲ୍ଲାପାଳଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି ।