ନବରଙ୍ଗପୁର,ଏନ୍ଏନ୍ଏସ୍: ଓଡ଼ିଶାର କୃଷିଭିତ୍ତିକ ଭାଇଚାରା ସମ୍ପର୍କ ଓ ମିଳନର ଗଣପର୍ବ ନୂଆଁଖାଇ ଉତ୍ସବ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପରେ ନୂଆଁଖାଇ ଭେଟଘାଟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଗଣପର୍ବ ନୂଆଁଖାଇ ଉତ୍ସବ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି କୃଷିଭିତ୍ତିକ ଗଣପର୍ବ ପାଳନ ଅବସରରେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଡା. ରାଧାନାଥ ବେହେରା, ଡା. ବିଜୟ କୁମାର ମିଶ୍ର, ବ୍ୟଙ୍ଗକବି ବିଜୟ ଚୌଧୁରୀ, ଜେମାମଣି ବିଶୋଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ରାଜ୍ୟ ଅମଲା ସଂଘର ସଭାପତି ବାଲାଜୀ ସାହୁ, ହେମଲତା ମାଝୀ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି କାର୍ତ୍ତିକ ଭତରା ଓ ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପାତ୍ର ପ୍ରମୁଖ ଯୋଗଦେଇ ନୂଆଖାଇ ଭେଟଘାଟ ସମ୍ପର୍କରେ ମତ ପୋଷଣ କରିଥିଲେ । ଏହି ଅବସରରେ ଚନ୍ଦାହାଣ୍ଡିର ଲୋକନୃତ୍ୟ ଘୁମୁରା, ଆଦିବାସୀ ନୃତ୍ୟ ଓ ନବରଙ୍ଗପୁରର ଢେମସା ଓ ଡାଲଖାଇ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ପରିଚାଳନା କରିଥିଲେ । ଏଥିରେ ଦିଲ୍ଲୀପ କୁମାର ମଲିକ, ଲକ୍ଷ୍ମୀ ରାଣୀ ବେହେରା, ନୀଳକଣ୍ଠ ନାୟକ,ବିଘ୍ନରାଜ ମାଝୀ ଓ ଏ. ସନ୍ତୋଷ କୁମାର ସହଯୋଗ କରିଥିଲେ ।