ବଙ୍ଗାଳିଗୁଡ଼ା ଗ୍ରାମବାସୀଙ୍କୁ ବେଦଖଲ ନକରିବାକୁ ନେଇ କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ଦାବୀପତ୍ର

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ବଙ୍ଗାଳିଗୁଡ଼ା ଗ୍ରାମରୁ ଗ୍ରାମବାସୀଙ୍କୁ ବେଦଖଲ ନକରିବାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ବିଜୟ ଗମାଙ୍ଗଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏକତ୍ରିତ ହୋଇ ବଙ୍ଗଳାଗୁଡ଼ା ଗ୍ରାମରେ ଲୋକଙ୍କ ସହ ଆଲୋଚନା କରି ରାମନାଗୁଡ଼ା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଗ୍ରାମରୁ ବେଦଖଲ କରାଯାଇ ରାମନାଗୁଡ଼ା ବ୍ଲକରେ କୋର୍ଟ ନିର୍ମାଣ ଲାଗି ସ୍ଥାନ ଚିହ୍ନଟ ନେଇ ଏଡିଏମ ଓ ତହସିଲ କର୍ମଚାରୀ ଗ୍ରାମକୁ ଆସିଥିବା ଗ୍ରାମବାସୀ କହିଛନ୍ତି । ବଙ୍ଗାଳିଗୁଡ଼ାରେ କୋର୍ଟ ନିର୍ମାଣ ହେବ ତେଣୁ ଗ୍ରାମ ଛାଡ଼ି ଅନ୍ୟ ସ୍ଥାନକୁ ଯିବା ପାଇଁ କୁହାଯାଇଥିବା ଗ୍ରାମବାସୀ କହିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ବେଦଖଲ ନହଟାଯାଏ ତେବେ ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ଖବର ପାଇ ଆଜି କଂଗ୍ରେସ ପକ୍ଷରୁ ବେଦଖଲ ନକରିବା ପାଇଁ ତହସିଲ କାର୍ଯ୍ୟାଳୟ ଆଗରେ ନାରାବାଜି ସହ ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗ, ରଘୁନାଥ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ତାଙ୍ଗୁଡୁ, ବ୍ଲକ ସଭାପତି ବାଞ୍ଛାନିଧି ବେହେରା, ଜି ପ୍ରସାଦ ରାଓ, ହୃଷିକେଶ ପାତ୍ର, ନବୀନ ଚନ୍ଦ୍ର ନାୟକ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।