ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ତେଜିଲା ଛାତ୍ର ଆନ୍ଦୋଳନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସହପାଠୀକୁ ଦୁର୍ଘଟଣାରେ ହରାଇ ପ୍ରଶାସନର ପ୍ରତିଶ୍ରୁତି ଫେଲ ପରେ ପାଟଣାଗଡ଼ ଜବାହରଲାଲ କଲେଜର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗତ ୨ ତାରିଖ ଦିନ ପାଟଣାଗଡ଼ ଜବାହରଲାଲ କଲେଜର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ସ୍ମ୍ମିତା ପ୍ରିୟଦର୍ଶିନୀ ପ୍ରଧାନ କଲେଜ ଫାଟକ ସମ୍ମୁଖରେ ୪୦୭ ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିଲେ । ଉକ୍ତ ଘଟଣାରେ କଲେଜର ଛାତ୍ରଛାତ୍ରୀ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ, ସମସ୍ତ କଲେଜ ଓ ସ୍କୁଲ ସମ୍ମୁଖରେ ହମ୍ପ୍ସ ନିର୍ମାଣ ଏବଂ କଲେଜ ପାଖ ମଦ ବିକ୍ରି ବନ୍ଦ ସହ ଅନେକ ଦାବୀ ଜଣାଇଥିଲେ । ଏନେଇ ପାଟଣାଗଡ଼ ବିଧାୟକ, ତହସିଲଦାର ଓ ଏସଡିପିଓ କଲେଜର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇ କେବଳ ରେଡକ୍ରସରୁ ୨୦ ହଜାର ଟଙ୍କା ଏବଂ ବିଧାୟକ ବ୍ୟକ୍ତିଗତ ୧୦ ହଜାର ଟଙ୍କା ସାହାଯ୍ୟ କରିଥିଲେ । ହେଲେ ଅନ୍ୟ ଦାବୀଗୁଡ଼ିକ ସମାଧାନ ନହେବାରୁ ଆଜି ପୁଣି ଆନ୍ଦୋଳନ ତେଜିଛି ।

ଆଜି ପୁଣି ଆନ୍ଦୋଳନ ଆରମ୍ଭ ହେବାସହ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ପାଇଁ ସଜବାଜ ହେଉଥିବା ସମୟରେ ପାଟଣାଗଡ଼ ପୁଲିସ ଏବଂ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ଛାତ୍ରଛାତ୍ରୀଙ୍କୁ ଗିରଫ କରିବାକୁ ଚେତାବନୀ ଦେଇଥିଲେ । ଫଳରେ କିଛି ସମୟ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ବିଧାୟକ ସରୋଜ ମେହେର ଘଟଣା ଦିନ ବ୍ୟକ୍ତିଗତ ଭାବରେ ୧୦ ହଜାର ଟଙ୍କା ଦେଇ ନିଜ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ । ଏହା ଏକ ହୀନ ରାଜନୀତି ଏବଂ ବିଧାୟକଙ୍କ ପାଖରେ ମାନବିକତା ନାହିଁ ଦର୍ଶାଇ ଛାତ୍ରଛାତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ପରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଆସି ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିବାବେଳେ ଯଥାଶୀଘ୍ର ପୂରଣ ହେବ ବୋଲି ଉପଜିଲ୍ଲାପାଳ ପୁଣି ପ୍ରତିଶ୍ରୁତି ଦେଇଛନ୍ତି ।