ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଓକିଲ ସଂଘ ପକ୍ଷରୁ ନବ ନିର୍ବାଚିତ ଓଡ଼ିଶା ରାଜ୍ୟ ବାର କାଉନସିଲ ସଭ୍ୟଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନବନିର୍ବାଚିତ ଓଡ଼ିଶା ରାଜ୍ୟ ବାର କାଉନସିଲ ସଭ୍ୟ ପି. ରମେଶ ପାତ୍ର ଓ ଧନଞ୍ଜୟ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଭା ଆରମ୍ଭରେ ୨ ସଦସ୍ୟ ମହାତ୍ମା ଗାନ୍ଧୀ ଓ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ ଏଥିରେ ସଭାପତିତ୍ୱ କରିଥିଲେ । ସମ୍ପାଦକ ତପନ ସିଂ ସ୍ୱାଗତ ଭାଷଣ ଦେଇଥିବାବେଳେ ଓକିଲ ସଂଘର ସଦସ୍ୟମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ଓକିଲଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପି. ରମେଶ ପାତ୍ର ଓକିଲଙ୍କ ସ୍ୱାର୍ଥ ପ୍ରତି ପ୍ରତିଜ୍ଞାବଦ୍ଧ ବୋଲି କହିଥିବାବେଳେ ଧନଞ୍ଜୟ ମୁଣ୍ଡ ଆଗାମୀ ଦିନରେ ଓକିଲଙ୍କ ଦାବୀକୁ ପରିଷଦରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ ଉପସ୍ଥିତ ରହି ସେମାନଙ୍କ ବିଭିନ୍ନ ଦାବୀକୁ ଉପସ୍ଥାପନ କରିବା ସହ ଆଗାମୀ ଦିନରେ ଓକିଲଙ୍କ ସମୂହ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି କହିଥିଲେ ।