ଅଣ୍ଡା ମାଡ଼ ପରେ ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ହାଇଡ୍ରାମା ଦେଖିବାକୁ ମିଳିଛି । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଉଥିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବ୍ରହ୍ମପୁର ପୂର୍ବରୁ ଲାଞ୍ଜିପଲ୍ଲୀରେ ଶତାଧିକ ବିଜେଡି କର୍ମୀ ପ୍ରଦୀପଙ୍କ ଗାଡ଼ିକୁ ଅଣ୍ଡା ଓ ପଥର ମାଡ଼ କରିଛନ୍ତି । ଏହି ସମୟରେ ବିଜେଡି କର୍ମୀ ଓ ପ୍ରଦୀପଙ୍କ ସମର୍ଥକ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।

ଉକ୍ତ ଘଟଣାକୁ ନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ମୁଁ ଆସିବା ପୂର୍ବରୁ ବ୍ରହ୍ମପୁର ଏସପିଙ୍କୁ ଜଣାଇଥିଲି । ଏସପି ସମ୍ମତି ଦେଇଥିଲେ ବି ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନାହାନ୍ତି । ଜଣେ ସଚିବଙ୍କ ସୁରକ୍ଷା ପାଇଁ ୪ ହଜାର ପୁଲିସ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜଣେ ଜନପ୍ରତିନିଧିଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ମୋ ଗାଡ଼ିକୁ ଏନଏଚରେ ଅଟକାଯାଇଛି । ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୁଖ୍ୟମନ୍ତ୍ରୀ ଭଦ୍ର ଲୋକ, ତାଙ୍କ ନାଁକୁ ନେଇ ଏମାନେ ଶାସନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଚେହେରା ବଦଳିଗଲେ ଏମାନେ ପୁରା ମାଟି ହୋଇଯିବେ । ଆଉ କେହି ମୁଖ୍ୟମନ୍ତ୍ରୀ ହେଲେ ଏମାନେ ବନ୍ଧା ହୋଇ ଭିତରକୁ ଯିବେ । ଜେଲ ଯିବା ଭୟରେ ଏମାନେ ଶାସକୁ ଯାବୁଡ଼ି ଧରିଛନ୍ତି ।