ବରଗଡ଼,ଏନ୍ଏନ୍ଏସ୍: ନୃସିଂହନାଥ ମନ୍ଦିରର ଦାନବାକ୍ସରୁ ଚୋରି ହୋଇଥିବା ନେଇ ପାଇକମାଲ ଥାନାରେ ଏତଲା ଦିଆଯାଇଛି । ନୃସିଂହନାଥ ପିଠରେ ମହାପ୍ରଭୁ ମାର୍ଜାର କେଶରି ପୂଜା ପାଇଥାନ୍ତି । ମହାପ୍ରଭୁଙ୍କ ଗର୍ଭଗୃହ ସମ୍ମୁଖରେ ୩ଟି ଛୋଟ ଓ ଗୋଟିଏ ବଡ଼ ଅର୍ଥାତ୍ ସମୁଦାୟ ୪ଟି ଦାନବାକ୍ସ ରହିଛି । ଗତକାଲି ରାତି ପ୍ରାୟ ୧ରୁ ୨ଟା ସମୟ ମଧ୍ୟରେ ୩ଜଣ ମୁଖା ପିନ୍ଧା ବ୍ୟକ୍ତି ମନ୍ଦିରର ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରୁଥିବା ସିସିଟିଭିରେ କଏଦ ହୋଇଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ମନ୍ଦିର ଦାନବାକ୍ସରେ ଗୋଟିଏ ମାସର ଦାନ ଅର୍ଥ ରହିଥିବା ମନ୍ଦିର ପକ୍ଷରୁ କୁହାଯାଇଛି । ଏନେଇ ପାଇକମାଲ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ମନ୍ଦିରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବାବେଳେ ଆବଶ୍ୟକ ପୁଲିସ ସୁରକ୍ଷା ବ୍ୟବସ୍ଥା ନାହିଁ । ଏଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।