ୱାଗ୍‌ନର୍ ଆର୍ମି ପ୍ରମୁଖଙ୍କ ଘରେ ଚଢ଼ଉ: କଟାମୁଣ୍ଡର ଫଟେ, ଅସ୍ତ୍ରଶସ୍ତ୍ର, ବଣ୍ଡଲ୍ ବଣ୍ଡଲ୍ ଲାର୍ ଠାବ

ସେଣ୍ଟ୍ ପିଟର୍ସବର୍ଗ: ରୁଷହ ବିଦ୍ରୋହୀ ପ୍ରାଇଭେଟ୍ ଆର୍ମି ୱାଗ୍‌ନର୍ ମୁଖ୍ୟ ୟେଭ୍‌ଗେନି ପ୍ରିଗୋଜିନ୍‌ଙ୍କ ଘର ଓ ଅଫିସ୍‌ରେ ରୁଷ ସେନା ଓ ଗୁଇନ୍ଦା ଏଜେନ୍ସି ଏଫ୍‌ଏସ୍‌ବି ଚଢ଼ଉ କରିଛନ୍ତି । ଏହି ଚଢ଼ଉ ବେଳେ ସେଠାରୁ ବିପୁଳ ମାତ୍ରାରେ ଡଲାର୍ ବଣ୍ଡଲ୍ ଏବଂ ୬୦୦ ମିଲିୟନ୍ ରୁବଲ୍ ( ୫୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ), ସୁନା ବିସ୍କୁଟ୍‌, କେତେକ ୱିଗ୍ସ ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଟିଏ କୁମ୍ଭୀର ଏବଂ ଗୋଟିଏ ଫଟୋ ମିଳିଛି । ଏହି ଫଟୋରେ ପ୍ରିଗୋଜିନ୍‌ଙ୍କ ଶତ୍ରୁ ଥିବା ବ୍ୟକ୍ତିଙ୍କ କଟାମୁଣ୍ଡ ଚିତ୍ର ରହିଛି । ରୁଷୀୟ ଖବରକାଗଜ ଇଜଭେସ୍ତିଆ ଏହି ଫଟୋ ଜାରି କରିଛି । ଏହା ବ୍ୟତୀତ ଏଫ୍‌ଏସ୍‌ବିକୁ ଅଲଗା ଅଲଗା ଦେଶର କେତେକ ପାସ୍‌ପୋର୍ଟ ମିଳିଛି । ଚଢ଼ଉ ବେଳେ ମିଳିଥିବା ୱିଗ୍‌କୁ ନିଜ ବେଶ ବଦଳାଇବା ପାଇଁ ପ୍ରିଗୋଜିନ୍ ବ୍ୟବହାର କରୁଥିଲେ ବୋଲି ରୁଷ ମିଡ଼ିଆ ପକ୍ଷରୁ ସୂଚନା ଦିଆଯାଇଛି ।

ୱାଗ୍‌ନର୍ ଆର୍ମି ୧୫ ଦିନ ତଳେ ଜୁନ୍ ୨୩ ତାରିଖରେ ରୁଷ ସରକାର ଏବଂ ସେନା ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲା । ଏହାପରେ ୨୪ ତାରିଖରେ ବୁଝାମଣା ଅନୁସାରେ ପ୍ରିଗୋଜିନ୍‌କୁ ବେଲୁରୁଷ ଚାଲିଯିବାକୁ ଆଦେଶ ଦିଆଯାଇଥିଲା । ତେବେ ପ୍ରିଗୋଜିନ୍ ରୁଷ ଫେରିଆସିଥିବା ଦୁଇଦିନ ତଳେ ବେଲୁରୁଷ ରାଷ୍ଟ୍ରପତି ଆକେ୍‌ଜାଣ୍ଡର ଲୁକାଶେଙ୍କୋ କହିଥିଲେ । ତେବେ ଅଫିସିଆଲ୍ ଭାବେ ପ୍ରିଗୋଜିନ୍‌ଙ୍କ ଲୋକେସନ୍ ମିଳିନଥିବା କୁହାଯାଇଛି । ଅନ୍ୟପକ୍ଷରେ ୱାଗ୍‌ନର୍‌ର ବିଦ୍ରୋହକୁ ନେଇ ପ୍ରିଗୋଜିନ୍‌ଙ୍କ ବିରୋଧରେ ଏବେ ତଦନ୍ତ ଚାଲିଛି ।