ହାଇଦ୍ରାବାଦ: ପଶ୍ଚିମବଙ୍ଗର ହାୱଡ଼ାରୁ ତେଲେଙ୍ଗାନାର ସିକନ୍ଦରାବାଦ ଆସୁଥିବା ଫଲକ୍ନୁମା ଏକ୍ସପ୍ରେସ୍ରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଟ୍ରେନ୍ର ତିନିଟି ବଗିରେ ନିଆଁ ଲାଗିବା ଫଳରେ ଏହାକୁ ହାଇଦ୍ରାବାଦଠାରୁ ୪୫ କିମି ଦୂର ବୋମ୍ମଇପଲ୍ଲୀ ପାଗିଡ଼ିପଲ୍ଲୀ ମଧ୍ୟରେ ରୋକି ଦିଆଯାଇଥିଲା । ଟ୍ରେନ୍ ଅଟକିବା ପରେ ଭୟଭୀତ ଯାତ୍ରୀମାନେ ତୁରନ୍ତ ଓହ୍ଲାଇ ପଡ଼ିବା ଫଳରେ ସୁରକ୍ଷିତ ଭାବେ ବର୍ତ୍ତିଯାଇଛନ୍ତି । ତେବେ ସେମାନଙ୍କ ଆସବାବପତ୍ର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣା ସକାଳ ସାଢ଼େ ୧୧ଟା ବେଳେ ହୋଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ଉଦ୍ୟମ କରିଥିଲେ । ମାତ୍ର ପ୍ରବଳ ଧୂଆଁ କାରଣରୁ ଏଥିରେ ବହୁ ଅସୁବିଧା ସୃଷ୍ଟି ହୋଇଥିଲା । ଟ୍ରେନ୍ର ୧୮ଟି ବଗି ମଧ୍ୟରୁ ଏସ୍-୪, ଏସ୍-୫ ଏବଂ ଏସ୍-୬ରେ ନିଆଁ ଲାଗିଥିବା ଦକ୍ଷିଣ-ମଧ୍ୟ ରେଳବାଇର ସିପିଆର୍ଓ ସିଏଚ୍ ରାକେଶ ସୂଚନା ଦେଇଛନ୍ତି । ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି । ଜଳିଯାଇଥିବା ବଗିଗୁଡ଼ିକୁ ଟ୍ରେନ୍ରୁ ଅଲଗା କରାଯାଇଛି ।
ଫଲକ୍ନୁମା ଏକ୍ସପ୍ରେସ୍ରେ ନିଆଁ ଲାଗିବା ଘଟଣା ପରେ ଦକ୍ଷିଣ-ମଧ୍ୟ ରେଳବାଇର କେତେକ ଟ୍ରେନ୍କୁ ରଦ୍ଦ କିମ୍ବା ରୁଟ୍ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି । ଯାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ପଥରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଥିବା ସ୍ଥାନୀୟ ପୁଲିସ କହିଛି । ତେବେ ଅଗମ୍ୟ ଜଙ୍ଗଲିଆ ଅଞ୍ଚଳରେ ଏହା ଘଟିଥିବାରୁ ଯାତ୍ରୀମାନଙ୍କୁ ପ୍ରାୟ୨-୩ କିମି ଚାଲି ରାସ୍ତାରେ ପହଞ୍ଚିବାକୁ ପଡ଼ିଥିଲା । ଦକ୍ଷିଣ-କେନ୍ଦ୍ର ରେଳବାଇ ଜିଏମ୍ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ଏହାର କାରଣ ସ୍ପଷ୍ଟ ହେବ ।
ସୂଚନାଯୋଗ୍ୟ, ଦୁଇମାସ ତଳେ ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ୍ ନିକଟରେ ତିନିଟି ଟ୍ରେନ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୭୫ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ ।