୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବୀପତ୍ର ପ୍ରଦାନ

କନ୍ଧମାଳ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆଜି ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ୨୦୧୩ ମସିହାରୁ ୧୦୮ ଆମ୍ବୁଲାନ୍ସରେ ଜଣେ ଇଏମଟି, ଡ୍ରାଇଭର ଓ ଆଟେଣ୍ଡାଣ୍ଟ କାମ କରୁଛନ୍ତି । ନିଃସ୍ୱାର୍ଥପର ଏବଂ ନିଷ୍ଠାପୂର୍ଣ୍ଣ ଭାବେ କାମ କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବୀ ଉପରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତିି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିୟମିତ କରିବା ନଚେତ ୮ ଘଣ୍ଟିଆ କାର୍ଯ୍ୟରେ ସ୍ୱତନ୍ତ୍ର ପ୍ୟାକେଜ ଅନୁସାରେ ଇଏମଟିଙ୍କୁ ମାସିକ ୩୦ ହଜାର ଟଙ୍କା, ଡ୍ରାଇଭରଙ୍କୁ ୨୫ ହଜାର ଟଙ୍କା, ଆଟେଣ୍ଡାଣ୍ଟଙ୍କୁ ୨୦ ହଜାର ଟଙ୍କା ସହ ଆଡଭାନ୍ସ ଲାଇଫ ସପୋର୍ଟ ଇଏମଟିଙ୍କୁ ୩୫ ହଜାର ଟଙ୍କା ପ୍ରଦାନ, ବାର୍ଷିକ ଦରମା ବୃଦ୍ଧି କାର୍ଯ୍ୟ କ୍ଷେତ୍ରରେ ଆକ୍ରମଣର ଶିକାର ହେଲେ ଦୋଷୀଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଆମ୍ବୁଲାନ୍ସ ଧୋଇବା ପାଇଁ ସୁବିଧା ସହ କର୍ମଚାରୀଙ୍କ ଲାଗି ଶୌଚାଳୟ ଏବଂ ବିଶ୍ରାମ ଗୃହ, କୌଣସି କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ହେଲେ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ଦେବାକୁ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।