ବିଜେଡିକୁ କୌରବ କହିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ ବିଜେଡିକୁ କୌରବ କହି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ଓ ୫ଟି ସଚିବଙ୍କୁ ଦୁର୍ଯ୍ୟୋଧନ ବୋଲି ଶ୍ରୀ ମାଝୀ ଆଖ୍ୟା ଦେଇଛନ୍ତି । ଶାସନ ବ୍ୟବସ୍ଥାରେ ୫ଟି ସଚିବ ପାଣ୍ଡିଆନଙ୍କ ହସ୍ତକ୍ଷେପ ତଥା ବିଜେଡି ଦଳକୁ ନିୟନ୍ତ୍ରଣ କରୁଥିବା ଅଭିଯୋଗ ନେଇ ଶ୍ରୀ ମାଝୀ ବର୍ଷିଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅକ୍ସିଜେନ ପ୍ଲାଣ୍ଟରୁ ୫ଟି ସୂଚନା ବୋର୍ଡ / ହୋର୍ଡିଙ୍ଗ ହଟାଇବାକୁ କେନ୍ଦ୍ର କରି ଗତ ୨୯ତାରିଖ ଜିଲ୍ଲାରେ ଅନୁଷ୍ଠିତ ଦିଶା ବୈଠକରେ ବିଜେପିର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗୋଣ୍ଡଙ୍କୁ ବିଜେଡି ବିଧାୟକ ଓ ସାଂସଦଙ୍କ ଦ୍ୱାରା ଘେରିବାକୁ ଚେଷ୍ଟା କରାଯାଉଥିବାରୁ ସେ ବୈଠକ ଅଧାରୁ ଉଠି ଚାଲିଯାଇଥିବା ବଳଭଦ୍ର ଅଭିଯୋଗ କରିଛନ୍ତି । ଏନେଇ ନବରଙ୍ଗପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ନିନ୍ଦା କରିବା ସହିତ ବୈଠକରେ ଜିଲ୍ଲାର ବିକାଶମୂଳକ ଯୋଜନା ବିଷୟରେ ଆଲୋଚନା ନ କରି ୫ଟି ହୋର୍ଡିଙ୍ଗ ଆଢୁଆଳରେ ବିଧାୟକଙ୍କୁ ଘେରିବାକୁ ଚେଷ୍ଟା କରାଯାଇଥିଲା ବୋଲି ଶ୍ରୀ ମାଝୀ କହିଛନ୍ତି ।

ବଳଭଦ୍ର ମାଝୀ ଆହୁରି କହିଛନ୍ତି ଯେ, ୫ଟି ସଚିବ ତଥା ଦୁର୍ଯ୍ୟୋଧନ ଓଡ଼ିଶା ସାରା ଦୌରାତ୍ମ୍ୟ ଚଳାଇଛନ୍ତ । କୌରବ ବଂଶ ଓଡ଼ିଶାର ସବୁଆଡ଼େ ଯେଭଳି ସ୍ଥିତି କରିଛନ୍ତି ନିର୍ବାଚିତ ପ୍ରତିନିଧି ଏଠାରେ ମୂଲ୍ୟହୀନ । ଯେଉଁଠି ବିଜେଡିର ନେତା, ସାଂସଦ, ବିଧାୟକ ତଥାକଥିତ ୫ଟି ସଚିବ ତଥା ଦୁର୍ଯ୍ୟୋଧନଙ୍କ ଗୋଡ଼ ଛୁଇଁ ନମସ୍କାର କରୁଛନ୍ତି ଏବଂ ଟିକଟ ପାଇଁ ଗୁହାରୀ କରୁଛନ୍ତି ସେଠାରେ ଏମାନଙ୍କ ଦୌରାତ୍ମ୍ୟ ବଢ଼ିବା ସ୍ୱାଭାବିକ । ତେଣୁ ଯେପରି ମହାଭାରତରେ ହୋଇଥିଲା ଏ କୌରବ ବଂଶର ଶେଷ ଦିନ ଆସୁଛି, କୃଷ୍ଣ ଜନ୍ମ ନେଇସାରିଲେଣି ଓ ସେ ଅଦୃଶ୍ୟ ଶକ୍ତି ୨୦୨୪ ଭୋଟ ବେଳେ ତା’ର ସଠିକ ଉତ୍ତର ଦେବ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତିଙ୍କ ସମେତ କାଉନସିଲର ଶର୍ମିଷ୍ଠା ଦେଓ, ଶ୍ରୀଧର ପାତ୍ର ଓ ଶୁଭମ ଚୌଧୁରୀ ଅଂଶଗ୍ରହଣ କରିଥିଲେ ।