ସଇଁନ୍ତଲା,ଏନ୍ଏନ୍ଏସ୍: ଟଙ୍କା ଲୋଭରେ ଗୋରୁ ମାଂସ ବିକ୍ରି କରିବା ପାଇଁ ହତ୍ୟା ଅଭିଯୋଗରେ ୨ ଜଣଙ୍କୁ ସଇଁନ୍ତଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ସଇଁନ୍ତଲା ଥାନା କଅସର ପଡ଼ାର ସଂଜୀବ ବାଗଙ୍କ ଗୁହାଳରୁ ବିଳମ୍ବିତ ରାତିରେ ଗୋଟିଏ ଗାଈ ନ ଥିବାରୁ ସକାଳୁ ବହୁ ଖୋଜାଖୋଜି କରାଯାଇଥିଲା । ପରେ ସ୍ଥାନୀୟ ଓଭରହେଡ଼ ଟ୍ୟାଙ୍କ ନିକଟରେ ଗାଈର ମାଂସ, ହାଡ଼ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ସନ୍ଦେହରେ ରୋହିଦାସ ପଡ଼ାର ଲିଙ୍ଗରାଜ ରୋହିଦାସଙ୍କ ଘରେ ଗାଈ ମାଂସ ଦେଖିବାରୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ମୁଁ ଗାଈକୁ ହତ୍ୟା କରି ନାହିଁ ବୋଲି ଲିଙ୍ଗରାଜ କହିବାରୁ ସଂଜୀବ ଘରକୁ ଫେରି ଆସିଥିଲେ । ପରେ ଲିଙ୍ଗରାଜ ଗାଈ ମାଂସ ବିକ୍ରି କରିବା ପାଇଁ ନେଉ ଥିବାବେଳେ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ସଂଜୀବ ପଛରେ ଗୋଡ଼ାଇଲେ । ଲିଙ୍ଗରାଜ ଗୋ ମାଂସକୁ ବିକ୍ରି କରି ନେଉଥିବାବେଳେ ଧରା ପଡ଼ିବା ଭୟରେ ମାଂସକୁ ଏକ ଜଙ୍ଗଲରେ ଫିଙ୍ଗି ଫେରାର ହୋଇ ଯାଇଥିଲେ । ଏନେଇ ଆଜି ସଂଜୀବ ସଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ରୋହିଦାସ ପଡ଼ାର ଲିଙ୍ଗରାଜ ରୋହିଦାସ ଓ ଭୀମ ରୋହିଦାସଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯାଇଥିଲା । ଦୁହେଁ ବାପ ପୁଅ ହୋଇଥିବାବେଳେ ଗୋ ହତ୍ୟା ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଘଟଣା ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ତଦନ୍ତ କରି ହତ୍ୟା କରିଥିବା ଅସ୍ତ୍ରଗୁଡ଼ିକ ଜବତ କରିବା ପରେ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ।