ବାଲେଶ୍ବର: ବାହନଗା ଷ୍ଟେସନ ନିକଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ରେନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ଆହତଙ୍କୁ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । ଭୁବନେଶ୍ବର, ପଶ୍ଚିମବଙ୍ଗ ଏମ୍ସରେ ଚିକିତ୍ସା ସୁବିଧା ଦିଆଯିବ । ଏମ୍ସ ବ୍ୟତୀତ କଟକ, ଭୁବନେଶ୍ବର ମଧ୍ୟ ଆହତଙ୍କ ଚିକିତ୍ସା କରାଯିବ ବୋଲି ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ସମୟରେ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏହାସହିତ ବାହାନାଗା ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସକାଳୁ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରି ସାରିଛନ୍ତି । ସକାଳ ୮ଟା ସୁଦ୍ଧା ସେ ବାହାନଗାରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ । ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରିବେ । ସନ୍ଧ୍ୟାରେ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି, ଅଗ୍ନିଶମ ଡିଜି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି ।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି । ସମୟ ଯେତିକି ଗଡୁଛି, ମୃତ୍ୟୁସଂଖ୍ୟା ସେତିକି ବଢୁଛି । ପ୍ରଥମେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୨୩୩ରେ ପହଞ୍ଚିଛି । ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏବେ ବି ବଗି ତଳୁ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଛି । ସକାଳେ ହୋଇଯାଇଥିଲେ ହେଁ ଏ ଯାଏଁ ରେସ୍ୟୁ ଅପରେସନ ସରିପାରି ନାହିଁ । ଏନଡିଆରଏଫ୍, ଓଡ୍ରାଫ ଟିମ୍ ଓ ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି ।