ପରିତ୍ୟକ୍ତ ଅବସ୍ଥାରେ ବିଡିଓଙ୍କ ନୂତନ ଆବାସ ଗୃହ

ଝରିଗାଁ,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓଙ୍କ ପୁରୁଣା ଆବାସ ଘର ଭାଙ୍ଗି ଲକ୍ଷାଧିକ ଟଙ୍କାରେ ନୂଆ ଆବାସ କୋଠା ନିର୍ମାଣ କରାଯାଇଛି । କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ୨ ବର୍ଷରୁ ଉର୍‌ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ବିଡିଓଙ୍କ ନିଘା ନାହିଁ । କବାଟରେ ତାଲା ଝୁଲୁଛି । ପରିତ୍ୟକ୍ତ ଅବସ୍ଥାରେ କୋଠା ପଡ଼ି ରହିଛି । ଚତୁଃପାର୍ଶ୍ୱ ଜଙ୍ଗଲମୟ ହୋଇ ପଡ଼ି ରହିଛି । ଫଳରେ ଅନାବନା ଗଛ ଗୁଡ଼ିକ ଧୀରେ ଧୀରେ ବଡ଼ ହେବାକୁ ଲାଗିଲାଣି ଏବଂ ସେହି ଗଛର ଚେର ଗୁଡ଼କ ସିମେଣ୍ଟ ଚଟାଣକୁ ଫୋଟେଇ କେତେକାଂଶରେ ନଷ୍ଟ ହେବାକୁ ବସିଲାଣି । ବ୍ୟବହାର ହେଉନଥିବାରୁ ବିଡିଓଙ୍କ ଆବାସ ବିଷଧର ସାପ, ବିଛା ଓ କୀଟ ପତଙ୍ଗର ବାସସ୍ଥଳୀ ପାଲଟିଛି । ବିଡିଓ ଆସିବା ଦିନରୁ ଷ୍ଟାଫ୍ କ୍ୱାର୍ଟରରେ ରହି ଆସୁଛନ୍ତି ଅଥଚ ସମ୍ପୂର୍ଣ୍ଣ ହୋଇଥିବା ନୂଆ କ୍ୱାର୍ଟରରେ ନ ରହିବାର କାରଣ ବୁଝାପଡୁନି ।