ଆଜି କୋଲାରରେ ରାଲିକୁ ସମ୍ବୋଧନ କରିବେ ରାହୁଲ, ଏଇଠି ମୋଦି ସରନେମ ଉପରେ ଦେଇଥିଲେ ଟିପ୍ପଣୀ

ବେଙ୍ଗାଲୁରୁ,ଏଜେନ୍ସି: ସେହି ସ୍ଥାନ, ସେହି ନିର୍ବାଚନୀ ସମୟ । ଫରକ ଖାଲି ବର୍ଷର । ସେବେ ଥିଲା ୨୦୧୯ ଆଉ ଆଜି ୨୦୨୩ । ଯେଉଁ ସ୍ଥାନରେ ମୋଦି ସାଙ୍ଗିଆ ବା ମୋଦି ସରନେମକୁ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେହି ସ୍ଥାନରେ ଆଜି ଏକ ରାଲିକୁ ସମ୍ବୋଧନ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କର୍ଣ୍ଣାଟକର କୋଲାରରେ ଏକ ରାଲି କରିବେ ରାହୁଲ । ସାଂସଦ ପଦ ଯିବା ପରେ ଏହା ରାହୁଲଙ୍କ ଦ୍ବିତୀୟ ରାଲି । ପୂର୍ବରୁ ଗତ ୧୧ ତାରିଖରେ କେରଳର ୱାଇନାଡରେ ଏକ ରୋଡ ସୋ କରିଥିଲେ । ପୂର୍ବାହ୍ନ ୧୧ଟାରେ ‘ଜୟ ଭାରତ’ ନାମକ ଏକ ରାଲି କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ପୂର୍ବାହ୍ନ ୧୦ଟା ସୁଦ୍ଧା ସେ ବେଙ୍ଗାଲୁରୁରେ ପହଞ୍ଚିବେ । ଏହାପରେ କୋଲାର ଗସ୍ତ କରିବେ । ସେଠାରେ ‘ଜୟ ଭାରତ’ ରାଲିକୁ ସମ୍ବୋଧନ କରିବେ । ଏହି ରାଲିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ବିରୋଧୀ ଦଳ ନେତା ସିଦ୍ଧରମୟା, କେପିସିସି ସଭାପତି ଡିକେ ଶିବକୁମାରଙ୍କ ସମେତ ଅନେକ ନେତା ଯୋଗ ଦେବେ । ‘ଜୟ ଭାରତ’ ରାଲିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ ବୋଲି ଦଳୀୟ ନେତା ଆଶା କରିଛନ୍ତି ।

ଗତକାଲି (ଶନିବାର) କଂଗ୍ରେସ ନେତା କୋଲାର ଗସ୍ତ କରି ରାଲିର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ପ୍ରଥମେ ଏପ୍ରିଲ ୫ ଓ ୯ ତାରିଖରେ ରାଲି ହେବା ନେଇ ନିଷ୍ପତ୍ତି ହୋଇଥିଲା ମାତ୍ର ପରବର୍ତ୍ତୀ ସମୟରେ ୧୬ ତାରିଖ ଆର୍ଥାତ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା । ରାଲି ପରେ ସନ୍ଧ୍ୟାରେ ବେଙ୍ଗାଲୁରୁ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଇନ୍ଦିରା ଗାନ୍ଧୀ ଭବନର ଉଦଘାଟନ କରାଯିବ । ଏହି ଭବନରେ ୭୫୦ ସଦସ୍ୟ ବସିବା କ୍ଷମତା ରହିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।