ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ଯାବିନେଟରେ ଅନେକ ଜନକଲ୍ୟାଣକାରୀ ନିଷ୍ପତ୍ତି ଗ୍ରହଣ କରଯାଇଛି । ସେଥିମଧ୍ୟରୁ କୃଷି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ହେଉଛି କୃଷକ ଉତ୍ପାଦକ ସଂଗଠନ ଯୋଜନାକୁ ସହାୟତା ନିମନ୍ତେ ପାଣ୍ଠି ବ୍ୟବସ୍ଥା । ସଶକ୍ତ ଏଫ୍ପିଓ ଗଠନ ପାଇଁ ଆସନ୍ତା ୫ ବର୍ଷରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୧୪ କୋଟି ଟଙ୍କା । ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ ହାରାହାରି ୧୦୦୦ କୃଷକ ଉତ୍ପାଦକ ସଙ୍ଗଠନଙ୍କୁ ସହାୟତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା କୃଷକ ଉତ୍ପାଦକ ସଙ୍ଗଠନଗୁଡିକର ପ୍ରସାର ଓ ଦୃଢୀକରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ । ଏଥିପାଇଁ ଆସନ୍ତା ୫ ବର୍ଷରେ ୩୧୩ କୋଟି ୬୧ ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରିବେ ।
ଚଳିତ ଆର୍ଥିକ ବର୍ଷ ପାଇଁ ୩୯ କୋଟି ୩୭ ଲକ୍ଷ ୨୯ ହଜାର ଟଙ୍କାର ଖର୍ଚ୍ଚ ବରାଦ କରାଯାଇଛି । ଏଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପାଇଲଟିଂ କରିବ । ଏହାକୁ ସଫଳ କରିବା ପାଇଁ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ପ୍ରାୟ 830ଟି ଏଫ୍ପିଓ କାର୍ଯ୍ୟ କରୁଛନ୍ତି । ଏଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଦେଶରେ ୧୦,୦୦୦ଟି ଏଫ୍ପିଓ ଗଠନ ଯୋଜନାରେ ପ୍ରାୟ ୩୧୪ଟି ଏଫ୍ପିଓ ଅନ୍ତର୍ଭୁକ୍ତ । ଏହା ମଧ୍ୟରୁ ପ୍ରାୟ ୩୨୦ଟି ଏଫ୍ପିଓ ନିଜ ସଂଘ ସଫଳତାର ସହିତ ପରିଚାଳିତ କରି ନିଜ ସଭ୍ଯଙ୍କ ପାଇଁ ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଏଥିରୁ ଅଧିକାଂଶ ହେଉଛନ୍ତି ଆଦିବାସୀ ବହୁଳ ଜିଲ୍ଲାରେ ।