ରାମନାଗୁଡ଼ାରେ ରାମ ନବମୀରେ ବିରାଟ ଶୋଭାଯାତ୍ରା

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ସଦର ମହକୁମାରେ ଥିବା ଶ୍ରୀରାମ ମନ୍ଦିରରେ ଆଜି ଶ୍ରୀରାମ ନବମୀ ପାଳନ କରାଯାଇଛି । ଚୈତ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ ଓ ହୋମ ଯଜ୍ଞ କରିବା ସହ ରାମ ଚରିତ ପାଠ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବଜରଙ୍ଗ ଦଳ ତରଫରୁ ସନାତନ ଧର୍ମ ପାଳନ କରିବାକୁ ନେଇ ଏକ ବିଶାଳ ପଟୁଆରରେ ରାମଭକ୍ତ ହନୁମାନଙ୍କର ପତାକା ଧରି ବାଇକ ରାଲି କରାଯାଇ ଥିଲା । ଏଥିରେ ଅଂଶଗ୍ରହଣ କରିଥିବା ବଜରଙ୍ଗୀ ଦଳର ସମସ୍ତ ଯୁବକମାନେ ପ୍ରଥମେ ରାମନାଗୁଡ଼ାସ୍ଥିତ ରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ସେଠାରୁ ନଗର ପରିକ୍ରମା କରିବା ସହିତ ସ୍ଥାନୀୟ ହନୁମାନ ମନ୍ଦିରରେ ପହଞ୍ଚି ରାମ ଭକ୍ତ ହନୁମାନଙ୍କର ପୂଜା କରିଥିଲେ । ଗଣପତିଗୁଡ଼ାସ୍ଥିତ ମଙ୍ଗଳା ମନ୍ଦିରରୁ ଚାକୁଣ୍ଡାକୁ ବିରାଟ ରାଲି ମାଧ୍ୟମରେ ଯିବା ପରେ ସେଠାରୁ ଗୁଲୁଣ୍ଠି ଯାଇ ପୁଣି ପ୍ରତ୍ୟାବର୍ତ୍ତନ କରି ରାମନାଗୁଡାସ୍ଥିତ ରାମ ମନ୍ଦିରରେ ଶୋଭାଯାତ୍ରା ଶେଷ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାମନାଗଡ଼ା ଥାନାଧିକାରୀ ସୁଶ୍ରୀ ସୁନିତା ବେହେରାଙ୍କ ନେତୃତ୍ୱରେ ଏଏସଆଇ ପୃଥ୍ୱୀରାଜ ଝଙ୍କାର ଓ ଜଗନ୍ନାଥ ବେହେରାଙ୍କ ସମେତ ସଦଳବଳେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ବର୍ତ୍ତମାନ ସମୟରେ ହଜି ଯାଉଥିବା ହିନ୍ଦୁ ପରମ୍ପରାକୁ ଉଜ୍ଜୀବିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ବଜରଙ୍ଗୀ ଦଳ ପକ୍ଷରୁ କୁହାଯାଇଛି ।