ମୁମ୍ବଇ,ଏଜେନ୍ସି: ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ପ୍ରଥମ ସଂସ୍କରଣରେ ଚମ୍ପିଆନ୍ ହୋଇଛି ମୁମ୍ବଇ ଇଣ୍ଡିଆନ୍ସ। ରବିବାର ଖେଳା ଯାଇଥିବା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ୱିକେଟରେ ମୁମ୍ବଇ ଇଣ୍ଡିଆନ୍ସ ପରାସ୍ତ କରିଛି। ନିୟମିତ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟରେ ୧୩୧ ରନ୍ କରିଥିଲା। ପରେ ନାଟ୍ ସ୍କିଭର-ବ୍ରଣ୍ଟ୍ଙ୍କ ଅର୍ଦ୍ଧଶତକ ଓ ଅଧିନାୟିକା ହରମନପ୍ରୀତ କୌରଙ୍କ ଉପଯୋଗୀ ଇନିଂସ୍ ବଳରେ ୩ଟି ବଲ୍ ବାକିଥାଇ ୩ ୱିକେଟ ହରାଇ ମୁମ୍ବଇ ଜିତିଥିଲା। ଏହି ବିଜୟ ସହ ମୁମ୍ବଇ ଇଣ୍ଡିଆନ୍ସ ଡବ୍ଲ୍ୟୁପିଏଲ୍ରେ ପ୍ରଥମ ଚମ୍ପିଆନ୍ ହୋଇପାରିଛି।
୧୩୨ ରନ୍ ଲକ୍ଷ୍ୟରେ ମୁମ୍ବଇ ଇଣ୍ଡିଆନ୍ସର ୟାସ୍ତିକା ଭାଟିଆ ୪ ଓ ଅନ୍ୟ ଓପ୍ନର ହେଲି ମାଥ୍ୟୁସ୍ ୧୩ ରନ୍କରି ବିଦାୟ ନେଇଥିଲେ। ୨୩ ରନ୍ରେ ୨ଟି ୱିକେଟ ପଡ଼ିବା ପରେ ନାଟ୍ ସ୍କିଭର-ବ୍ରଣ୍ଟ୍ ଓ ଅଧିନାୟକ ହରମନପ୍ରୀତ କୌର ୩ୟ ୱିକେଟ୍ ପାଇଁ ୭୨ ରନ୍ ଯୋଗକରି ଦଳର ସ୍ଥିତି ମଜ୍ଭୁତ କରିଥିଲେ। ହରମନପ୍ରୀତ ୩୯ ବଲ୍ରୁ ୫ଟି ଚୌକା ସହ ୩୭ ରନ୍ କରିଥିଲେ। ଶେଷ ୨ ଓଭରରୁ ମୁମ୍ବଇ ଇଣ୍ଡିଆନ୍ସ ୨୧ ରନ୍ ଆବଶ୍ୟକ କରୁଥିଲା। ଜେସ୍ ଜୋନାସେନ୍ ବୋଲିଂ କରିଥିବା ୧୯ଶ ଓଭରରୁ ନାଟ୍ ସ୍କିଭର-ବ୍ରଣ୍ଟ୍ ଓ ଆମେଲିକା କେର୍ ୧୬ ରନ୍ ନେବାରୁ ମୁମ୍ବଇର ବିଜୟ ନିଶ୍ଚିତ ହୋଇ ଯାଇଥିଲା। ନାଟ୍ ସ୍କିଭର-ବ୍ରଣ୍ଟ୍ ୫୫ ବଲ୍ରୁ ୭ଟି ଚୌକା ସହ ୬୦ ରନ୍କରି ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡର ଆମେଲିଆ କେର୍ ୮ ବଲ୍ରୁ ୨ଟି ଚୌକା ସହ ୧୪ ରନ୍ କରି ଅପରାଜିତ ଥିଲେ। ଶେଷଆଡ଼କୁ ମ୍ୟାଚ୍ ରୋମାଞ୍ଚକର ହେବା ସତ୍ତ୍ବେ ଦିଲ୍ଲୀ ଜିତି ପାରିନଥିଲା।
ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବ୍ୟାଟିଂ ନେବା ପରେ ଏହାର ଓପ୍ନର ଶେଫାଳି ବର୍ମା ୪ ବଲ୍ରୁ ୧୧ ରନ୍କରି ଆଉଟ୍ ହୋଇଥିଲେ। ପରେ ଆଲିସ୍ କାପ୍ସି ୦ ଓ ଜେମିମା ରଡ୍ରିଗ୍ବେଜ୍ ୯ ରନ୍କରି ଆଉଟ୍ ହୋଇଥିଲେ। ଅଧିନାୟକ ମେଗ୍ ଲାନିଙ୍ଗ୍ ଓ ମାରିଜେନ୍ କାପ୍ ୩୮ ରନ୍ ଯୋଡ଼ିଥିଲେ। ଲାନିଙ୍ଗ୍ ୨୯ ବଲ୍ରୁ ୫ଟି ଚୌକା ସହ ୩୫ ରନ୍ କରିଥିଲେ। କାପ୍ ୨୧ ବଲ୍ରୁ ୧୮ ରନ୍ କରିଥିଲେ। ୭୯ ରନ୍ରେ ଦିଲ୍ଲୀ ୯ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ହେଲେ ଶେଷ ୱିକେଟ ପାଇଁ ଶିଖା ପାଣ୍ଡେ ଓ ରାଧା ଯାଦବ ୪ ଓଭରରେ ୫୨ ରନ୍ ଯୋଡ଼ି ଦଳକୁ ଏକ ସମ୍ମାନଜନକ ସ୍କୋର୍ରେ ପହଞ୍ଚାଇଥିଲେ। ଶିଖା ୧୭ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ଏବଂ ରାଧା ୧୨ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୭ ରନ୍ କରିଥିଲେ। ଇସି ୱଙ୍ଗ୍ ଓ ହେଲି ମାଥ୍ୟୁସ୍ ୩ଟି ଲେଖାଏଁ ଏବଂ ଆମେଲିଆ କେର୍ ୨ଟି ୱିକେଟ ନେଇଥିଲେ। ଶିଖା ପାଣ୍ଡେ ଓ ରାଧା ଯାଦବ ଶେଷଆଡ଼କୁ ୫୨ ରନ୍ ଯୋଡ଼ିନଥିଲେ ମ୍ୟାଚ୍ ଏକତରଫା ହୋଇ ଯାଇଥାଆନ୍ତା।