ମୁମ୍ବାଇ,ଏଜେନ୍ସି: ପ୍ରଥମ ୫ ମ୍ୟାଚ୍ ହାରି ବିଦାୟ ବେଳାରେ ପଡ଼ିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ଦଳ ଚଳିତ ମହିଳା ପ୍ରିମିୟର୍ ଲିଗ୍ (ଡବୁଲ୍ୟପିଏଲ୍)ରେ ଲଗାତାର ବିଜୟ ହାସଲ କରି ପ୍ଲେ ଅଫ୍ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଶନିବାର ସୋଫି ଡିଭାଇନ୍ଙ୍କ ୩୬ ବଲ୍ ୯୯ ରନ୍ (୯ ଚୌକା, ୮ ଛକା) ବଳରେ ଆର୍ସିବି ୧୮୯ ରନ୍ ବିଜୟ ଲକ୍ଷ୍ୟକୁ ୧୫.୩ ଓଭରରେ ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଛି। ନ୍ୟୁଜିଲାଣ୍ଡ୍ର ଅଭିଜ୍ଞ ଅଲରାଉଣ୍ଡର୍ ସୋଫି ମାତ୍ର ୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ଆର୍ସିବିକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ସହିତ ପ୍ରଥମ ୱିକେଟ୍ ପାଇଁ ୯.୨ ଓଭରରେ ୧୨୫ ରନ୍ ସଂଗ୍ରହ କରିଥିଲେ।
ଉଭୟଙ୍କ ପ୍ରହାର କାରଣରୁ ଆର୍ସିବି ପାୱାର ପ୍ଲେ ୬ ଓଭରରୁ ୭୭ ରନ୍ ଆଦାୟ କରିଥିଲା। ଡିଭାଇନ୍ ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ପୂର୍ବରୁ ଗୁଜରାଟ ମଧ୍ୟ ଲୌରା ୱଲଭାର୍ଟଙ୍କ ୪୨ ବଲ୍ ୬୮ ରନ୍ ବଳରେ ୧୮୮ ରନ୍ର ଆହ୍ବାନ ରଖିଥିଲା। ଡିଭାଇନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଗୁଜରାଟ ସପ୍ତମ ମ୍ୟାଚ୍ରୁ ପଞ୍ଚମ ପରାଜୟ ସହ ଶେଷ ସ୍ଥାନକୁ ଖସିଯାଇଛି।
ସଂକ୍ଷିପ୍ତ ସ୍କୋର:
ଗୁଜରାଟ ଜାଏଣ୍ଟସ ୨୦ ଓଭରରେ ୧୮୮/୪ (ଲୌରା ୱଲଭାର୍ଟ-୬୮, ଆସଲେ ଗାର୍ଡନର୍-୪୧, ସାଭିନେନି ମେଘନା-୩୧, ସୋଫି ଡିଭାଇନ୍-୧/୨୩, ଶ୍ରେୟଙ୍କା ପାଟିଲ୍-୨/୧୭, ପ୍ରୀତି ବୋଷ-୧/୨୩)।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୫.୩ ଓଭରରେ ୧୮୯/୨ (ସୋଫି ଡିଭାଇନ୍-୯୯, ସ୍ମୃତି ମନ୍ଧାନା-୩୭, ହିଦର ନାଇଟ୍-୨୨*, ଏଲିସ ପେରି-୧୯*, ସ୍ନେହ ରାଣା-୧/୨୫, କିମ୍ ଗାର୍ଥ-୧/୩୨)।