ଗାନ୍ଧୀମୂର୍ତ୍ତି ସମ୍ମୁଖରେ କଂଗ୍ରେସ ନେତାଙ୍କ ଧାରଣା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବୟାନ ଓ ଅନ୍ୟ ବିବାଦ ମଧ୍ୟରେ ସଂସଦର ୨ ସଦନ ଲୋକସଭା ଓ ରାଜ୍ୟସଭା ଆଜି ପାଇଁ ସ୍ଥଗିତ ରଖାଯାଇଛି । ଉଭୟ ସଦନ ଏବେ ସୋମବାର କାର୍ଯ୍ୟକାରୀ ହେବ । ଇତିମଧ୍ୟରେ ସଂସଦ ଭବନର ଗାନ୍ଧୀମୂର୍ତ୍ତି ସମ୍ମୁଖରେ କଂଗ୍ରେସ ଧାରଣାରେ ବସିଛି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି ।

ନିକଟରେ ଲଣ୍ଡନରେ ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକତନ୍ତ୍ରକୁ ନଷ୍ଟ କରୁଛନ୍ତି । ମୋଦୀ ସରକାର ଅଳ୍ପସଂଖ୍ୟକ ଓ ପ୍ରେସ ଉପରେ ଆକ୍ରମଣ କରୁଛି । ମୋର ଓ ଅନ୍ୟ କେତେକ ନେତାଙ୍କ ଫୋନରେ ପେଗାସସ୍ ସ୍ୱାୟୱେୟର ରହିଥିଲା । ସେଥିପାଇଁ କଥା ହେବା ସମୟରେ ସାବଧାନ ରହିବାକୁ ଇଣ୍ଟଲିଜେନ୍ସ ଏଜେନ୍ସି ନିଜେ ଫୋନ୍ କରି ମୋତେ ସୂଚନା ଦେଇଥିଲେ ।

ରାହୁଲ ଗାନ୍ଧୀଙ୍କ ଉପରୋକ୍ତ ବୟାନକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିବା ସହ ଲଗାତାର ଭାବେ କ୍ଷମା ମାଗିବାକୁ କହୁଛି । ଅନ୍ୟପଟେ ରାହୁଲ କିଛି ଭୁଲ କହିନଥିବାରୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି କଂଗ୍ରେସ କହିଛି ।