ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବ୍ଲକ ସମ୍ମୁଖରେ ଟୁହିଲାମାଳ ପଞ୍ଚାୟତ ସରପଞ୍ଚ ଓ ଗ୍ରାମବାସୀଙ୍କ ଧାରଣା

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ପ୍ରଶାସନର ମନମୁଖୀ କାର୍ଯ୍ୟ ଓ ଯନ୍ତ୍ରୀଙ୍କ ଅସହଯୋଗ ପ୍ରତିବାଦରେ ଟୁହିଲାମାଳ ପଞ୍ଚାୟତର ସରପଞ୍ଚ ଜଲି ନାୟକ ନିଜର ୧୧ ମାସର ଶିଶୁପୁତ୍ରକୁ ଧରି ସମସ୍ତ ୱାର୍ଡ ମେମ୍ବରଙ୍କ ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଜଣାପଡ଼ିଛି । ନିର୍ବାଚିତ ହେବାର ବର୍ଷେ ପରେ ମଧ୍ୟ ଯନ୍ତ୍ରୀ ସଞ୍ଜୟ ଟିଗା ଓ ଜଳପରିମଳ ଯନ୍ତ୍ରୀ ପଞ୍ଚାୟତକୁ ସହଯୋଗ କରୁନାହନ୍ତ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । ଫଳରେ ଜନସାଧାରଣ ଜଳ, ରାସ୍ତା, ଆବାସ ତଥା ଅନ୍ୟାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏପରିକି ପଞ୍ଚାୟତ କାର୍ଯ୍ୟରେ ବାଧା ସୃଷ୍ଟି କରି ସରପଞ୍ଚଙ୍କୁ ଅପାରଗତା ପ୍ରମାଣ ଦେବାକୁ ଚେଷ୍ଟା କରୁଛନ୍ତି । ଏସମ୍ପର୍କରେ ପୂର୍ବରୁ ବହୁବାର ଜିଲ୍ଲା ପ୍ରଶାସନ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ଏହାର ପ୍ରତିବାଦରେ ସରପଞ୍ଚ ଜଲୀ ନାୟକ ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କ ସହ ବ୍ଲକ କାର୍ଯ୍ୟାଳୟକୁ ଆସି ଟୁହିଲାମାଲ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ତୁରନ୍ତ ବଦଳି ଦାବୀ କରି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଧରି ଶାନ୍ତିପୂର୍ଣ ଧାରଣା ଦେଇଥିବା ଜଣାପଡ଼ିଛି ।