ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ସାଂସଦ କାର୍ଯ୍ୟକ୍ରମ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ୧୦ଟି ବ୍ଲକ ତଥା ମହାବିଦ୍ୟାଳୟ ଗୁଡ଼ିକରୁ ୩୦୦ ଯୁବକ ଯୁବତୀଙ୍କୁ ନେଇ ନବରଙ୍ଗପୁର ମହାବିଦ୍ୟାଳୟରେ ନେହୁରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ଅଧିକାରୀ ବି ରମେଶ ଅଧ୍ୟକ୍ଷତା କରି ନେହେରୁ ଯୁବକେନ୍ଦ୍ରର ବର୍ଷ ତମାମ କରାଯାଇଥିବା କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି ଯୁବ ସମାଜକୁ ଉଚିତ୍ ମାର୍ଗ ଚୟନ କରି ଯୁବ ଶକ୍ତିକୁ ବିକଶିତ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ଓ ଏହାର ସଠିକ ଉପଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନନ୍ୟା ଦାଶ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା. ବିଜୟ କୁମାର ମିଶ୍ର ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ଯୁବ ସମାଜକୁ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ଯୁବ ରେଡକ୍ରସ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ଧନ୍ୟବାଦ ଦେଇଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରୁ ଫେରିଥିବା ୪ଜଣ ପ୍ରତିଯୋଗୀ ନିଜ ନିଜ ବକ୍ତୃତା ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ରାଜନୀତି ବିଭାଗ ଯୁବ ସଂସଦ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଅଧ୍ୟାପକ ହରିଶ୍ଚନ୍ଦ୍ର ଶବର ପରିଚାଳନା କରିଥିଲେ । ପରେ ବିଭିନ୍ନ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଯୁବ ସମାଜର ବିକାଶରେ ସମାଜ ଓ ରାଷ୍ଟ୍ରର ବିକାଶ ନିହିତ ଅଛି ଏବଂ ସମସ୍ତେ ଏଦିଗରେ କାର୍ଯ୍ୟ କରିବାକୁ ଅତିଥିମାନେ ପରାମର୍ଶ ଦେଇଛନ୍ତି ।