ପୁଲିସଠୁ ନ୍ୟାୟ ନମିଳିବାରୁ ହାଇକୋର୍ଟ ମୁହାଁ ହେଲେ ପୂର୍ବତନ ସେନା କର୍ମଚାରୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଏକଦା ଦେଶର ସୀମାକୁ ସୁରକ୍ଷା ଦେଉଥିବା ଜଣେ ସେନା କର୍ମଚାରୀ କିନ୍ତୁ ପୈତୃକ ସମ୍ପତ୍ତିରୁ ନିଜ ସମ୍ପର୍କୀୟଙ୍କ ଅନୁପ୍ରବେଶ ଓ ଲୁଟକୁ ରୋକିବାରେ ବିଫଳ ହୋଇଛନ୍ତି । ଫଳରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇ ବିଫଳ ହେବା ପରେ ଅଦାଲତର ଆଶ୍ରୟ ନେଇ ନ୍ୟାୟ ପାଇବା ଲାଗି ତାରିଖକୁ ଅନାଇ ବସିଛନ୍ତି ଅବସରପ୍ରାପ୍ତ ବିଏସଏଫ ଯବାନ ପରୀକ୍ଷିତ ସାହୁ । ଅଭିଯୋଗ ଅନୁଯାୟୀ, ବାରକୋଟ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ରଘୁନାଥ ସାହୁଙ୍କ ପୁଅ ପରୀକ୍ଷିତ ସୀମା ସୁରକ୍ଷା ବାହିନୀରେ ଯବାନ ଭାବେ କାର୍ଯ୍ୟ କରି ଗତ ୨୦୦୮ ମସିହାରେ ଅବସର ଗ୍ରହଣ କରିଥିଲେ । ଚାକିରିରୁ ଅବସର ପରେ ନିଜ ଗାଁକୁ ଫେରି ପରିବାର ସହ ରହୁଥିବାବେଳେ ପ୍ରାୟ ୧୨ ବର୍ଷ ପୂର୍ବେ ଉଭୟ ବାପା-ମା’ଙ୍କ ଦେହାନ୍ତ ପରେ ନିଜ ପୈତୃକ ସମ୍ପତ୍ତି ପାଇଁ ଗାଁ ନିକଟରେ ଶିକ୍ଷକତା କରୁଥିବା ବଡ଼ଭାଇ ହରେକୃଷ୍ଣ ସାହୁଙ୍କ ସହ ଆଲୋଚନା ପରେ ସମ୍ପତ୍ତି ଭାଗ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଆଲୋଚନା ଅନୁଯାୟୀ ବଡ଼ ଭାଇ ଖିଲାପ କରିବାରୁ ଗାଁରେ ଜାତି ସମାଜଙ୍କ ମାଧ୍ୟମରେ ସମାଧାନ ପାଇଁ ପରୀକ୍ଷିତ ପ୍ରୟାସ କରିଥିଲେ ମଧ୍ୟ ବଡ଼ଭାଇ ସହଯୋଗ କରିନଥିଲେ । ଫଳରେ ମାମଲା ଥାନାରେ ପହଞ୍ଚିଥିଲା । ମାତ୍ର ଥାନାରେ ବଡ଼ଭାଇ ହରେକୃଷ୍ଣ କୌଣସି ପ୍ରକାରେ ନିଜ ପକ୍ଷକୁ ସଠିକ ଦର୍ଶାଇ ଖସି ଥିବାବେଳେ ହରେକୃଷ୍ଣଙ୍କ ସ୍ତ୍ରୀ କୈକେଇ ସାହୁ ଦିଅର ପରୀକ୍ଷିତଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଥିଲା । ଏପରିକି ଉକ୍ତ ମାମଲାରେ ପରୀକ୍ଷିତଙ୍କୁ ଅଦାଲତରୁ ଜାମିନରେ ଆସିବାକୁ ପଡ଼ିଥିଲା । ଏହି ଘଟଣାକୁ ନେଇ ପରୀକ୍ଷିତ ଅଦାଲତରେ କମ୍ପେ୍ଲନ କେଶ ଦାୟର କରିବାକୁ ଆସିଥିବାବେଳେ ଉକ୍ତ ଦିନ ପରୀକ୍ଷିତଙ୍କ ସ୍ତ୍ରୀ ଓ ପିଲା ଛୁଆଙ୍କୁ ବଡ଼ଭାଇ ଓ ଭାଉଜ ମିଶି ମରଣାନ୍ତକ ଆକ୍ରମଣ କରିଥିଲେ । ପରୀକ୍ଷିତ ଏହି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଜଣେ ଅବସର ସେନା କର୍ମଚାରୀଙ୍କୁ ପୁଲିସ ନ୍ୟାୟ ପ୍ରଦାନରେ ବିଫଳ ହେବା କାରଣରୁ ଶେଷରେ ଏହି ମାମଲାକୁ ପରୀକ୍ଷିତ ହାଇକୋର୍ଟକୁ ନେଇ ନ୍ୟାୟ ଭିକ୍ଷା କରିଥିଲେ । ଫଳରେ ମାନ୍ୟବର ହାଇକୋର୍ଟ ୪ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଭିଯୋଗ ପତ୍ର ହଜିଯାଇଥିବା କାରଣରୁ ପୁଣିଥରେ ନ୍ୟାୟ ପାଇଁ ଲମ୍ବା ତାରିଖକୁ ଅପେକ୍ଷା କରିବାକୁ ପଡ଼ିଥିବା ପରୀକ୍ଷିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ବହୁ ଗ୍ରାମବାସୀ ମଧ୍ୟ ଅନୁରୋଧ କରିଛନ୍ତି ।