ତ୍ରିପୁରା: ତ୍ରିପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ୩,୩୩୭ ମତକେନ୍ଦ୍ରରେ ହୋଇଛି । ଏଥିରେ ମୋଟ ୨୫୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ । ଅପରାହ୍ନ ୪ଟା ସୁଦ୍ଧା ମୋଟ ୮୧ ପ୍ରତିଶତ ମତଦାନ ହୋଇଥିଲା । ରାଜ୍ୟରେ ସ୍ୱତନ୍ତ୍ର, ନିଷ୍ପକ୍ଷ ଓ ଶାନ୍ତିପୂର୍ଣ୍ଣ ଉପାୟରେ ନିର୍ବାଚନ କରିବା ପାଇଁ ୩୧ ହଜାର ମତଦାନ କର୍ମୀ ଏବଂ ୨୪ ହଜାର କେନ୍ଦ୍ରୀୟ ବଳର ସୁରକ୍ଷା କର୍ମୀ ନିଯୁକ୍ତ ଥିଲେ । ଏଥିସହିତ ରାଜ୍ୟ ସଶସ୍ତ୍ର ପୁଲିସର ୩୧ ହଜାର କର୍ମୀ ନିଯୁକ୍ତ କରାଯାଇଥିଲା । ଶାରୀରିକ ରୂପରେ ବିକଳାଙ୍ଗ ଓ ବୃଦ୍ଧ ଲୋକଙ୍କୁ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଥିଲା ।
ସୂଚନାଯୋଗ୍ୟ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା ଅଗରତାଲାରେ ଭୋଟ ଦେଇଥିଲେ । ଏହି ଅବସରରେ ଆମେ ଶାନ୍ତିପୂର୍ଣ୍ଣ ମତଦାନ ଚାହୁଁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।