ବାରିପଦା,ଏଜେନ୍ସି: ପୁଣି ଜବତ ହେଲା ବାଘଛାଲ। ମୟୂରଭଞ୍ଜ ଜିଲ୍ଲା ଝାରଫୋଖରିଆ ଥାନା ଅଞ୍ଚଳର ଜଳଡିଙ୍ଗା ସ୍ଥିତ ୪୯ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘଛାଲ ଡିଲ୍ ବେଳେ ମାଡି ବସିଲା ପୁଲିସ। ବାଘଛାଲ ଜବତ କରିବା ସହ ୮ ଜଣଙ୍କୁ ଗିରଫ କରିଛି ।ସୂଚନା ଅନୁଯାୟୀ, ଟାୱାର ଢ଼ାବାରେ ବାଘ ଛାଲ ଡିଲ୍ ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ପୁଲିସ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ କୌଣସି ବିଶେଷ ସୂତ୍ରରୁ ଖବରପାଇ ତାଙ୍କ ସ୍ପେଶାଲ ପୋଲିସ ଦଳକୁ ସେଠାରେ ନିୟୋଜିତ କରିଥିଲେ। ଢ଼ାବାରେ ବୁଧବାର ଏକ କଲରାପତାରିଆ ବାଘଛାଲ ଡିଲ ହେଉଥିବା ବେଳେ ପୂର୍ବ ଯୋଜନା ଅନୁଯାୟୀ ପୁଲିସ ଟିମ ଛପି ରହିଥିଲା ଓ ବାଘ ଛାଲ ଡିଲ୍ ଚାଲି ଥିବା ବେଳେ ମାଡି ବସିଥିଲା।
କଲରାପତରିଆ ବାଘ ଚମଡା ଡିଲ ବେଳେ ଜବତ ସହ ୮ ଜଣକୁ ଗିରଫ କରିବାରେ ପୁଲିସ ଟିମ ସଫଳ ହୋଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ଘଟଣା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି । ଜବତ ଚମଡାର ଲମ୍ବ ୭୭ଇଞ୍ଚ ଓ ଓସାର ୧୩ ଇଞ୍ଚ ଥିବା ନେଇ ସୂଚନା ମିଳିଛି। ବାଘଟିର ବୟସ ପ୍ରାୟ ୬ରୁ ୮ ବର୍ଷ ମଧ୍ୟରେ ହୋଇଥିବା ବେଳେ ଏହାକୁ ୪ରୁ ୫ ମାସ ପୂର୍ବରୁ ଶିକାର କରାଯାଇଥିବା ନେଇ ଅନୁମାନ କରାଯାଉଛି।