ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜଳ ସମ୍ପଦ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଅଶୋକ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରଦୀପ ପ୍ରଜ୍ୱଳନ ସହ ଫିତାକାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହ ପାଣି ପଞ୍ଚାୟତରେ ମହିଳାଙ୍କ ସହଭାଗିତା ଓ ପାଣି ପଞ୍ଚାୟତ ସହଯୋଗରେ ଜଳ ସେଚନର ସୁବଣ୍ଟନ ଚାଷୀଙ୍କୁ ସୁଦୃଢ଼ କରିଥିବା ପ୍ରକାଶ କରିଥିଲେ । ଏହି ଅବସରରେ ବିଭାଗରେ କ୍ଷେତ୍ର କର୍ମଚାରୀଙ୍କ ଅଭାବ ଯୋଗୁ ଜିଲ୍ଲାରେ କାର୍ଯ୍ୟକାରୀ ଥିବା ୨୭ଟି ପାଣି ପଞ୍ଚାୟତ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ତଦାରଖ ପାଇଁ ପାଣି ପଞ୍ଚାୟତ ସଦସ୍ୟ ଦାୟିତ୍ୱ ନେବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ଓ ମତ୍ସ୍ୟ ବିଭାଗ ଭଳି ବିଭିନ୍ନ ବିଭାଗ ସାମିଲ ହୋଇ ଜିଲ୍ଲାର ଚାଷୀଙ୍କ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲା ଯାଇଥିବା ଷ୍ଟଲକୁ ଅତିଥିଙ୍କ ଦ୍ୱାରା ଫିତା କାଟି ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଉପସ୍ଥିତ ପାଣି ପଞ୍ଚାୟତ ଅଧ୍ୟକ୍ଷ ସିଦ୍ଧେଶ୍ୱର ଗୁରୁ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ସହକାରୀ ଯନ୍ତ୍ରୀ ବିଜୟାଲକ୍ଷ୍ମୀ ନାୟକ, ସହକାରୀ ମତ୍ସ୍ୟ ଅଧିକାରୀ ଭୁବନେନ୍ଦ୍ର ଆଚାର୍ଯ୍ୟ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କେ ରାମଶଙ୍କର ରାଓ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।