ଚିଲିକା,ଏନ୍ଏନ୍ଏସ୍: ଚିଲିକା ବ୍ଲକ ହରିପୁର ପଞ୍ଚାୟତର ବାଲିଆ ଗାଁରେ ଅବସ୍ଥିତ ୫ଟି ମନ୍ଦିରରୁ ଗତକାଲି ରାତିରେ ସିରିଜ ଚୋରି ଯୋଗୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ ନାଚୁଣୀ ଥାନାରେ ଅଭିଯୋଗ ହୋଇଛି । କିଛି ଦୁର୍ବୁତ୍ତ ଗାଁର ଶ୍ରୀ ଗାଦିଶ୍ୱର ମହାଦେବ, ଶ୍ରୀ ବାଲୁଙ୍କେଶ୍ୱର ମହାଦେବ, ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ, ମାଁ ମଙ୍ଗଳା, ଶ୍ରୀ ଗୋପୀନାଥ ଦେବ ମନ୍ଦିରର କବାଟ ତାଲା ଭାଙ୍ଗିବା ସହ ଦେବାଦେବୀଙ୍କ ରୂପା ଓ ସୁନା ଗହଣା ଲୁଟ କରିଥିବା ଜଣାପଡ଼ିଛି । କିଛି ଦୁର୍ବୃତ୍ତ ମାଁ ମଙ୍ଗଳାଙ୍କ ବିଗ୍ରହର ଆଖିରେ ଲାଗିଥିବା ସୁନା ଆଖି ତାଡ଼ି ନେବା ସହ ସୁନା ଚିତା, ରୂପା ହାର, ବାଲୁଙ୍କେଶ୍ୱରଙ୍କ ରୂପା କିରଟି, ହାର, କାନ କୁଣ୍ଡଳ, ସର୍ପ, ତ୍ରିଶୂଳ, ଚନ୍ଦ୍ର ଓ ଛତି ଲୁଟି ନେଇଛନ୍ତି । ସେହିପରି ପାର୍ବତୀଙ୍କର ରୂପା କିରଟି, ହାର, ସୁନା ଆଖି ଓ ସୁନା ଚିତା ନେଇଥିବାବେଳେ ଗାଦିଶ୍ୱରଙ୍କ ରୂପା ସର୍ପ, ବୃନ୍ଦାବନଚନ୍ଦ୍ରଙ୍କ ରୂପା ବଂଶୀ ଓ ହୁଣ୍ଡିରୁ ଟଙ୍କା ଆଦି ପ୍ରାୟ ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଗାଁ ମନ୍ଦିର ପରିଚାଳନା କମିଟି ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାରେ ମର୍ମାହତ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ସହ ଫୋରେନସିକ ଟିମ୍ ପହଞ୍ଚି ତନାଘନା ଜାରି ରଖିଥିବାବେଳେ ନାଚୁଣୀ ଥାନା ଏସଆଇ କେଶବ ଚନ୍ଦ୍ର ବେହେରା ମଧ୍ୟ ତଦନ୍ତ ଚଲାଇଛନ୍ତି ।