ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ ପରେ କଂଗ୍ରେସ ଏବେ ‘ହାଥ ସେ ହାଥ ଯୋଡ଼ୋ’ ଅଭିଯାନର ପ୍ରସ୍ତୁତି ଚଲାଇଛି । ଏହି ଅଭିଯାନ ଜରିଆରେ ମୋଦୀ ସରକାରଙ୍କ ବିଫଳତା ଘରେ ଘରେ ପହଞ୍ଚାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ଓ ସଞ୍ଚାର ବିଭାଗ ପ୍ରଭାରୀ ନୂଆଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ‘ହାଥ ସେ ହାଥ ଯୋଡ଼ୋ’ ଅଭିଯାନର ଲୋଗୋ ଲଞ୍ଚ କରିଛନ୍ତି । ଏହି ଅବସରରେ ବିଜେପି ସରକାର ବିରୋଧରେ ଚାର୍ଜସିଟ ବି ଜାରି ହୋଇଛି ।
କଂଗ୍ରେସ ନେତା କହିଛନ୍ତି ଯେ, ସେପ୍ଟେମ୍ବର ୭ରେ ଆରମ୍ଭ ହୋଇଥିବା ‘ଭାରତ ଯୋଡୋ ଯାତ୍ରା’ ଜାନୁଆରୀ ୨୯ରେ ଶେଷ ହେବ। ଜାନୁଆରୀ ୩୦ରେ ରାହୁଲ ଗାନ୍ଧୀ ଶ୍ରୀନଗର ପାର୍ଟି ମୁଖ୍ୟାଳୟରେ ପଦଯାତ୍ରୀଙ୍କ ସହ ତ୍ରିରଙ୍ଗା ଉଡ଼ାଇବେ । ସକାଳ ୧୦ଟାରେ ଶ୍ରୀନଗରରେ ରାହୁଲ ପତାକା ଉଡ଼ାଇବା ପରେ ସମଗ୍ର ଦେଶର କଂଗ୍ରେସ କାର୍ଯ୍ୟାଳୟରେ ପତାକା ଉଡ଼ାଇବା କାର୍ଯ୍ୟକ୍ରମ ଆୟୋଜିତ ହେବ ।