ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ଉତ୍ସବ ‘ପ୍ରଧାନପାଟ’ ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଏସପି ପ୍ରମୋଦ କୁମାର ରଥଙ୍କ ଯୁଗ୍ମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆସନ୍ତାକାଲିରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଦିନ ଜିଲ୍ଲା ଉତ୍ସବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଚଳିତ ବର୍ଷ ହକି ବିଶ୍ୱକପର ଉତ୍ସାହ ସହ ଜିଲ୍ଲା ଉତ୍ସବ ଜିଲ୍ଲାବାସୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି । କାନ୍ଥବାଡ଼ରେ ରଙ୍ଗୀନ ଚିତ୍ର ଆଙ୍କିବାରେ ଚିତ୍ରକାର ବ୍ୟସ୍ତ ରହିଥିବାବେଳେ ସହରର ଗୋଟିଏ ପଟ ପ୍ରବେଶ ଦ୍ୱାରରେ ହକି ଷ୍ଟିକର ପ୍ରତିକୃତି ଓ ଅନ୍ୟପଟେ ପ୍ରପାତ ନଗରୀକୁ ଜନସଧାରଣଙ୍କୁ ସ୍ୱାଗତ ପାଇଁ ସଜ୍ଜିତ କରାଯାଇଛି । ପ୍ରଥମଥର ପାଇଁ ପ୍ରଧାନପାଟ ପାଦ ଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ପରିବର୍ତ୍ତେ ବଡ଼ ବଗିଚାରେ ଆୟୋଜନ କରାଯାଉଛି । ଉତ୍ସବ ପ୍ରଧାନପାଟ ଅବସରରେ ଓରମାସ ପକ୍ଷରୁ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ୨୦୦ ଷ୍ଟଲ ବ୍ୟବସ୍ଥା କରାଯାଇଥିବାବେଳେ କୃଷି ବିଭାଗ ପକ୍ଷରୁ ଏକ ମେଗା କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିକ୍ରି ପାଇଁ ଷ୍ଟଲ ବ୍ୟବସ୍ଥା କରାଯାଇଛି । ସେହିପରି ପୁସ୍ତକ ମେଳା, ଖାଦ୍ୟ ମେଳା, ଦୋଳି ଓ ମୀନା ବଜାର ଆଦିର ବ୍ୟବସ୍ଥା କରାଯାଇଥିବାବେଳେ ୫ଦିନ ଧରି ରାଜ୍ୟର ବହୁ ସ୍ୱନାମଧନ୍ୟ କଳାକାରଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଛି । କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଦ୍ୟୁତ ବିଭାଗ, ପୌର ପରିଷଦ ଓ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଥିବାବେଳେ ପ୍ରତ୍ୟେକ ସଂନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗୀୟ ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ ବୋଲି ସ୍ଥିର ହୋଇଛି । ଜନ ଗହଳିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ, ପରିମଳ ବ୍ୟବସ୍ଥା ପାଇଁ ପୌର ପରିଷଦ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ଉତ୍ସବସ୍ଥଳୀରେ ନିୟୋଜିତ କରାଯାଇଥିବା ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ୪୦ ଅଧିକାରୀଙ୍କ ସମେତ ୪ ପ୍ଲାଟୁନ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଏସପି ଶ୍ରୀ ରଥ ସୂଚନା ଦେଇଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର, ପୌର ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର, ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ନେତ୍ରାନନ୍ଦ ସାହୁ ଓ ରାସ୍ତା ଏବଂ ସୌଧ ବିଭାଗ ଯନ୍ତ୍ରୀ ଦୁବରାଜ ହେମରାମ୍ବ ପ୍ରମୁଖ ଉପସ୍ଥିତ ଥିଲେ ।