ଚିଲିକା,ଏନ୍ଏନ୍ଏସ୍: ସ୍ଥାନୀୟ ନାଚୁଣୀ ଥାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ନାଚୁଣୀ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ଆମନ୍ତ୍ରିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ, ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଚେୟାରମ୍ୟାନ ମିଟୁ ନାୟକ, ଚିଲିକା ବ୍ଲକର ଅଧ୍ୟକ୍ଷା ଜ୍ୟୋସ୍ନା ରାଣୀ ବେହେରା ଯୋଗଦେଇ ନାଚୁଣୀ ଥାନା ଏହା ଅଧୀନରେ ଆସୁଥିବା ସମସ୍ତ ଅଞ୍ଚଳରେ ସୁଚାରୂ ରୂପେ କାର୍ଯ୍ୟ କରି ଜନସାଧାରଣଙ୍କର ପ୍ରିୟ ଭାଜନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ନାଚୁଣୀ ଥାନାର ନୂତନ ଅଧିକାରୀ ଚନ୍ଦ୍ରଶେଖର ଜେନାଙ୍କ ସହ ସେକେଣ୍ଡ ଅଫିସର କେଶବ ଚନ୍ଦ୍ର ବେହେରା ଓ ପୁଲିସ ସହଯୋଗୀ ଏଥିରେ ସହଯୋଗ ପ୍ରଦାନ କରିଥିଲେ । ନାଚୁଣୀ ଫାଣ୍ଡି ବାଣପୁର ଥାନା ଅଧୀନରେ ଥିବାବେଳେ ଆଜିଠାରୁ ଥାନାରେ ରୂପାନ୍ତରିତ ହୋଇଛି । ନାଚୁଣୀ ଥାନା ଅଧୀନରେ ଗମ୍ଭାରୀମୁଣ୍ଡା ବିଟ୍ ହାଉସ ରହିବା ସହ ବାଣପୁର ବ୍ଲକର ୬ଟି ପଞ୍ଚାୟତ ଯଥା ନାଚୁଣୀ, ମୋରାମୋରି, କୁଲେଇ, ଗମ୍ଭାରୀମୁଣ୍ଡା, ଦେଓଗାଁ ଏବଂ ଚିଲିକା ବ୍ଲକର ୪ଟି ପଞ୍ଚାୟତ ଯଥା, କୁମାଣ୍ଡଳ ପାଟଣା, ନଈରି, ବଉଳାବନ୍ଧ ଓ ହରିପୁର ରହିବ । ଏଥିସହିତ ନାଚୁଣୀ ଥାନା ପାଇଁ ଜଣେ ଇନ୍ସପେକ୍ଟର, ଜଣେ ମହିଳା ସବଇନ୍ସପେକ୍ଟର ସମେତ ୨ଜଣ ସବଇନ୍ସପେକ୍ଟର, ୨ ଏଏସଆଇ ନିୟୋଜିତ ହୋଇଥିବା ନେଇ ଏସପି ସିଦ୍ଧାର୍ଥ କଟାରୀୟା ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳର ଜନସାଧାରଣ ଓ ଜନପ୍ରତିନିଧି ଯୋଗ ଦେଇଥିଲେ । ଶେଷରେ ବାଣପୁର ଥାନାଧିକାରୀ ଜୟପ୍ରକାଶ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।