ଦେବଗଡ଼,ଏନ୍ଏନ୍ଏସ୍: ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ଦାଦାଗିରି ସାମ୍ନାକୁ ଆସିଛି । ମହିଳା ସଶକ୍ତିକରଣ କାର୍ଯ୍ୟକୁ ବିଧାୟକ ଖୁଲମଖୁଲା ବିରୋଧ କରିବାର ଦୃଶ୍ୟ ଦେଖିବାକୁ ମିଳିଛି । ମିଳିଥିବା ରିପୋର୍ଟ ମୁତାବକ, ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ଟାଉନ ହଲ ସମ୍ମୁଖ ପାଚେରୀକୁ ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ସମର୍ଥକ ଭାଙ୍ଗଛନ୍ତି । ପୌର ପରିଷଦ କାର୍ଯ୍ୟାଦେଶ ସଂଖ୍ୟା ୧୪/୫.୧.୨୩ରେ ହରିଓମ ଏସଏଚଜିକୁ ୧୪ ଲକ୍ଷ ୬୫ ହଜାର ୩୦୦ ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା । କିନ୍ତୁ ନିଜ ଦଳୀୟ କର୍ମୀଙ୍କୁ ଠିକା କାମ ନ ମିଳିବାରୁ ପ୍ରତିଶୋଧ ପରାୟଣ ହୋଇ ବିଧାୟକ ଏପରି କରିଛନ୍ତି । ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ଠିକା କାର୍ଯ୍ୟ କରୁଥିବାବେଳେ ବିଧାୟକଙ୍କ ଏଭଳି କାର୍ଯ୍ୟରେ ଏସଏଚଜି ଗୋଷ୍ଠୀ କାନ୍ଦି ପକାଇଥିବା ଜଣାପଡ଼ିଛି । ବିଧାୟକଙ୍କ ଏପରି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୌର ପରିଷଦ ସଜବାଜ ହେଉଥିବାବେଳେ ଏସଏଚଜି ଗୋଷ୍ଠୀ ପକ୍ଷରୁ ଥାନାରେ ବିଧାୟକଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି । ଏନେଇ ହରିଓମ ମହିଳା ଏସଏଚଜି ଗୋଷ୍ଠୀର ସଭାନେତ୍ରୀ ଗୀତାଞ୍ଜଳି ପୃଷ୍ଟି ଓ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ସୂଚନା ଦେଇଛନ୍ତି । ବିଧାୟକଙ୍କ ଉପସ୍ଥିତିରେ ମିଶନ ଶକ୍ତିର କାର୍ଯ୍ୟ ଭଙ୍ଗାଯିବ ଖବର ପାଇ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିବା ପରେ ଖୋଦ ବିଧାୟକ ଶ୍ରୀ ପାଣିଗ୍ରାହୀ ସେମାନଙ୍କୁ ଫଟୋ ଉଠାଇବାକୁ ବାରଣ କରିବା ସହ ଜାଗା ଛାଡ଼ି ଚାଲିଯିବାକୁ କହିଥିଲେ । ବିଧାୟକଙ୍କ ଧମକ ସତ୍ୱେ ସାଧାରଣଜନତା ଭଙ୍ଗାରୁଜା ଘଟଣାର ଭିଡିଓ ବହୁମାତ୍ରାରେ ଭାଇରଲ କରିଛନ୍ତି । ଅନ୍ୟପଟେ ବିଜେପି ସାଂସଦ ନୀତେଶ ଗଂଗଦେବଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ ମଧ୍ୟ ବିଧାୟକଙ୍କ ସ୍ପଷ୍ଟ ଦିବାଲୋକରେ ଦାଦାଗିରିକୁ ନିନ୍ଦା କରିବା ସହ ଶ୍ରୀ ପାଣିଗ୍ରାହୀ ଜିଲ୍ଲାର ବିକାଶରେ ବାଧକ ସାଜିଥିବା ମତବ୍ୟକ୍ତ କରିଛନ୍ତି ।