କିନ୍ନର ସଶକ୍ତିକରଣ କର୍ମଶାଳା, ‘ସ୍ୱୀକୃତି’ ଯୋଜନାରେ ଦିଆଗଲା ପ୍ରୋତ୍ସାହନ ରାଶି

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ପ୍ରଶାସନ ଓ ସ୍ୱାତୀର ମିଳିତ ଆନୁକୁଲ୍ୟରେ ପଞ୍ଚାୟତ ସମିତି ବୈଠକ ଗୃହରେ ଗରିବ ଦୂରୀକରଣ ଯୋଜନା ଓ କିନ୍ନର ସଶକ୍ତିକରଣ କାର୍ଯ୍ୟକ୍ରମ ‘ସ୍ୱୀକୃତି’ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୀଲ୍ଲିପ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କନ୍ଧମାଳ ଜିଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଜଗନ୍ନାଥ ସାହାଣୀ, ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତି ରଞ୍ଜନ ଜେନା ଓ ପୁଲିସ ଅଧିକାରୀ ବାସନ୍ତି ବେହେରା ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଗ୍ରାମପଞ୍ଚାୟତ ପ୍ରତିନିଧି ନିଜ ପଞ୍ଚାୟତରେ କିପରି ପଲ୍ଲି ଓ ଗ୍ରାମସଭାରେ କିନ୍ନରଙ୍କ ଯୋଗଦାନକୁ ସୁନିଶ୍ଚିତ କରି ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ପାଇବା କ୍ଷେତ୍ରରେ କିନ୍ନରଙ୍କୁ ସାମିଲ କରିବାକୁ ପ୍ରାଥମିକତା ଦେବା ପାଇଁ ମତବ୍ୟକ୍ତ କରିଥିଲେ । ପାବୁରିଆ ସରପଞ୍ଚ ସଞ୍ଜୟ ନାୟକ କିନ୍ନରମାନେ ଯେଭଳି ସମ୍ମାନର ସହିତ ବଞ୍ଚିବେ ସେନେଇ ମତ ଦେଇଥିଲେ । ଏହି ଅବସରରେ କିନ୍ନର ପୂର୍ଣ୍ଣିମା, ବିଷ୍ଣୁପ୍ରିୟା ନିଜ ଜୀବନର ଅନୁଭୁତି ବଖଣା ଥିବାବେଳେ ୬ଜଣ କିନ୍ନର ନୟନା, ରମେଶ, ମନୋଜ, ବରୁଣ, ପୂର୍ଣ୍ଣିମା ଓ ଗୁପ୍ତେଶ୍ୱରଙ୍କୁ ‘ସ୍ୱୀକୃତି’ ଯୋଜନା ତରଫରୁ ଅତିଥିଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ପ୍ରଦୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ‘ସ୍ୱାତୀ’ର କର୍ମୀ ରାଜ କୁମାର ବେହେରା, ମାମିନା କହଁର, କନକ ପାତ୍ର, ଗୀତାଞ୍ଜଳି କହଁର, ଅନନ୍ତ ମଲ୍ଲିକ ଓ ମିଲି ସାହାଣୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସ୍ନେହଲତା ନାୟକ ଧନ୍ୟବାଦ ଦେଇଥିଲେ ।