ରାମନାଗୁଡ଼ାରେ ଥାନା ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ଥାନା ନିର୍ମାଣ ପାଇଁ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ହଠାତ ଗସ୍ତ କରି ସ୍ଥାନ ଚିହ୍ନଟ କରିଛନ୍ତି । ରାମନାଗୁଡ଼ାରେ ନିର୍ମାଣାଧୀନ ନୂତନ ବସଷ୍ଟାଣ୍ଡ ପାର୍ଶ୍ୱରେ ରାମନାଗୁଡ଼ା ପୁଲିସ ଥାନା କୋଠା ନିର୍ମାଣ ନିମନ୍ତେ ସ୍ଥାନ ଚିହ୍ନଟ କରିଥିବା ଜଣାପଡ଼ିଛି । ଏହି ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ ଫାଣ୍ଡି ଅଧିକାରୀ ଛବିନ୍ଦ୍ର ସେଠୀଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଏଥିସହିତ ଥାନା କୋଠା ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ବିଧିବଦ୍ଧ ଭାବେ ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ଥିବା ପୁଲିସ ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ । ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ରାମନାଗୁଡ଼ାରେ ଥାନା ଆବଶ୍ୟକତା ରହୁଥିବାରୁ ଅଞ୍ଚଳବାସୀଙ୍କ ମନରେ ଏବେ ନୂଆ ଆଶା ସଞ୍ଚାର ହୋଇଛି । ରାମନାଗୁଡ଼ାରେ ଥାନା ହେବାନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମଧ୍ୟ ଆଜିପର୍ଯ୍ୟନ୍ତ ଥାନାଧିକାରୀ ନିଯୁକ୍ତି ନହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ସେଥିପାଇଁ ଖୁବଶୀଘ୍ର ରାମନାଗୁଡ଼ାରେ ନୂତନ ଥାନାଧିକାରୀ ନିଯୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି ।