ଜିଲ୍ଲା ଯୋଜନା ବୋର୍ଡ ସମୀକ୍ଷା ବୈଠକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲା ପରିଷଦ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ ଓ ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକେଶ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲାର କୃଷି, ଜଳସେଚନ, ବିଦ୍ୟୁତ, ପାନୀୟ ଜଳ, କ୍ରୀଡ଼ା ଓ ପଶୁ ସମ୍ପଦ ଭଳି ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ, ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ସେହିପରି ଗ୍ରାମାଞ୍ଚଳରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପ୍ରତ୍ୟେକଟି ଲୋକଙ୍କ ପାଖକୁ କିପରି ପହଞ୍ଚିବ ସେନେଇ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ମନ୍ତ୍ରୀ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଢୋଲକିଆ କୃଷି ପ୍ରଧାନ ଦେବଗଡ଼ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ନଜର ରଖିଥିବାରୁ ଜିଲ୍ଲାର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି ।