ଦେବଗଡ଼/ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ବିଲେଇଘଟି ଛକ ନିକଟସ୍ଥ ୫୩ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାପାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବକ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ କଣ୍ଢଳ ଗ୍ରାମର ରାଜେଶ ବାର୍ଲାଙ୍କ ଝିଅ ପ୍ରିୟଙ୍କା ବାର୍ଲା(୨୦) ଆଜି ନିଜ ମାମୁଁଙ୍କ ସହ ବସନ୍ତପୁର ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରକୁ ଆସି ସନ୍ଧ୍ୟାରେ ବାଇକ ଯୋଗେ ଫେରୁଥିଲେ । ଏହି ସମୟରେ ବିଲେଇଘଟି ଛକ ନିକଟରେ ଏକ ଟ୍ରକ ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ଉଭୟ ମାମୁଁ-ଭାଣିଜୀ ରାସ୍ତାକୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଥିବାବେଳେ ମାମୁଁ ଗୁରୁତର ଆହତ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିବା ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରିଆମାଳ-ଅନୁଗୁଳ ରାସ୍ତାର ଉଭୟ ପଟେ ସହସ୍ରାଧିକ ଯାନବାହାନ ଅଟକି ରହିଥିଲା । ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ଉଦ୍ୟମ କରୁଥିବାବେଳେ ତେଲିମୁଣ୍ଡା ନିକଟରେ ରିଆମାଳ ଥାନା ପୁଲିସ ଗାଡ଼ିକୁ କାବୁ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି । ଅନ୍ୟପଟେ ଥାନାଧିକାରୀ ଲଳିତା ପ୍ରଧାନ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ମୃତ ଶରୀରକୁ ବ୍ୟବଛେଦ ପାଇଁ ପୁଲିସ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ରିଆମାଳ ପୁଲିସ ସୂଚନା ଦେଇଛି ।