ବିପୁଳ ପରିମାଣର ରନ୍ଧା ମଦ ଓ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ, ୨ ଗିରଫ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶି ରନ୍ଧା ମଦ ନଷ୍ଟ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଧନସାଏ ମହାନନ୍ଦ(୭୦) ଓ ମାନସ ରଞ୍ଜନ ବେହେରା(୨୬) । ମିଳିଥିବା ରିପୋର୍ଟ ମୁତାବକ, ବିଭିନ୍ନ ଅଞ୍ଚଳରେ ବ୍ୟାପକ ପରିମାଣର ରନ୍ଧା ମଦ କାରବାର ଚାଲୁଥିବା ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଅବକାରୀ ଅଧିକାରୀ ସତ୍ୟ ନାରାୟଣ ଦାସ ଆଜି ସଦଳବଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ପ୍ରଥମେ ଲରମ୍ଭା ଥାନା ଅନ୍ତର୍ଗତ ଲଚ୍ଛିମାଲ ଗ୍ରାମରେ ଚଢ଼ଉ କରି ଧନସାଏଙ୍କ ମହାନନ୍ଦଙ୍କଠାରୁ ୧୫ଲିଟର ଦେଶୀ ରନ୍ଧା ମଦ ଜବତ କରିବା ପରେ ଖପ୍ରାଖୋଲ ଥାନା ଅନ୍ତର୍ଗତ କନଗାଁର ମାନସ ରଞ୍ଜନ ବେହେରା(୨୬)ଙ୍କଠାରୁ ୨୦ ଲିଟର ମଦ ଜବତ କରିଥିଲେ । ପରେ ଖପ୍ରାଖୋଲ ବ୍ଲକ ଦମେଇପାଲି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ପତରା ଜଙ୍ଗଲରେ ମଦ ରନ୍ଧା କାରବାର ଚାଲିଥିବା ଖବର ପାଇ ଚଢ଼ଉ କରିଥିଲେ ମଧ୍ୟ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇ ନଥିଲେ । ତେବେ ସେଠାରେ ୪ ହଜାର ୨୦୦କେଜି ମହୁଲ ପୋଚ ଓ ୨୪୦ ଲିଟର ଦେଶୀ ରନ୍ଧା ମଦ ପାଇବା ପରେ ଅବକାରୀ ବିଭାଗ ତାହାକୁ ନଷ୍ଟ କରିଥିଲେ ।