ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ସ୍ଥାନୀୟ ଉପଖଣ୍ଡୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ‘ଆସ୍ଥା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ସକାଳ ୯ଟା ୩୦ ମିନିଟରେ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିବା ସହ ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ କରିଥିଲେ । ‘୫-ସ’ ଯଥା ସଚେତନତା, ସହଯୋଗ, ସାହାଯ୍ୟ, ସହାୟତା ଓ ସେବା ଦ୍ୱାରା ସରକାରଙ୍କ ପ୍ରଣିତ ଅନୁନ୍ୟ ଏକଶତ ଯୋଜନା ମାଧ୍ୟମରେ ସାମୂହିକ ପ୍ରଚେଷ୍ଟାରେ ଜନସାଧାରଣଙ୍କ ସାମର୍ଥ୍ୟର ପରିପ୍ରକାଶ ଘଟାଇବା ଉଦ୍ଦେଶ୍ୟରେ ଏହି ଯୋଜନାଟି ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଏହି ଯୋଜନା ଦ୍ୱାରା ଆଦର୍ଶ ୫-ଟି ଶାସନ ବିଧି ସଂହିତା ତଥା ବିଭିନ୍ନ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତୀୟ ମତାମତ ଜନସାଧାରଣଙ୍କଠାରୁ ସଂଗ୍ରହ କରାଯାଇପାରିବ ବୋଲି ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ରାଣା ଏହାକୁ ଏକ ଅଭିନବ ସଚେତନତା ପ୍ରୟାସ ବୋଲି କହିବା ସହ ଜନସାଧାରଣ ଏହି ପ୍ରୟାସ ଦ୍ୱାରା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ ହୋଇ ବେଶ ସୁଫଳ ନେଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଭୋଟର ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ ତହସିଲର ସମସ୍ତ କର୍ମଚାରୀଙ୍କ ସମେତ ବେଲପଡ଼ା, ପାଟଣାଗଡ଼ ଖପ୍ରାଖୋଲ ବ୍ଲକର ବିଡିଓ, ଉପଖଣ୍ଡ ୩ଟି ଯାକ ତହସିଲର ତହସିଲଦାର, ଆସିଷ୍ଟାଣ୍ଟ କଲେକ୍ଟର କ୍ଷିରୋଦ ସାହୁ, ବହୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।