ଟିଟିଲାଗଡ଼ ଜିଲ୍ଲା ଦାବୀରେ ୧୨ ଘଣ୍ଟିଆ ବନ୍ଦ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଟିଟିଲାଗଡ଼ ଜିଲ୍ଲା ଦାବୀକୁ ନେଇ ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ଆଜି ସଇଁନ୍ତଲା ବିକାଶ ପରିଷଦ, ବଣିକ ସଂଘ ଏବଂ ସାମ୍ବାଦିକ ସଂଘ ପକ୍ଷରୁ ସମର୍ଥନ କରାଯାଇଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ଏଥିସହିତ ସଇଁନ୍ତଲାକୁ ସବଡିଭିଜନ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଦାବୀ କରାଯାଇଛି । ଏହି ଆନ୍ଦୋଳନକୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମଧ୍ୟ ସମର୍ଥନ କରିଛନ୍ତି । ଅନ୍ୟପଟେ ଟିଟିଲାଗଡ଼ ବିଧାୟକା ତଥା ମନ୍ତ୍ରୀ ଟୁକୁନି ସାହୁ ଜିଲ୍ଲା ପ୍ରସଙ୍ଗକୁ ନେଇ କାହିଁକି ଚୁପଚାପ ରହୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯଦି ରାଜ୍ୟ ସରକାର ଟିଟିଲାଗଡ଼ ଜିଲ୍ଲା ଘୋଷଣା ନ କଲେ ଆଗାମୀ ଦିନରେ ରାଜରାସ୍ତାରେ ନିଆଁ ଜଳିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ମଧ୍ୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟର ୧୩ ଜିଲ୍ଲାକୁ ଭାଗ କରି ୩୦ ଜିଲ୍ଲା ଗଠନ କଲାବେଳେ ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା ନ କରିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘ ୨୨ ବର୍ଷ ହେଲା ଶାସନରେ ରହିଥିଲେ ମଧ୍ୟ ଟିଟାଲଗଡ଼କୁ ଜିଲ୍ଲା ମାନ୍ୟତା ମିଳିନାହିଁ । ରାଜ୍ୟ ଶାସକ ଦଳର ବିଧାୟିକା ଟୁକୁନି ସାହୁ ଏବେ ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ରହିଛନ୍ତି । ହେଲେ ଟିଟିଲାଗଡ଼ ଜିଲ୍ଲା ଦାବି ପାଇଁ ପଦିଏ କଥା ମଧ୍ୟ କହିନ ଥିବାବେଳେ ମନ୍ତ୍ରୀଙ୍କ ଏଭଳି ନିରବଦ୍ରଷ୍ଟାକୁ ନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଜୋର ଧରିଛି । ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ବିଧାୟକ ଥିବା ସମୟରେ ବିଧାନସଭାରେ ଟିଟିଲାଗଡ଼ ଜିଲ୍ଲା ଦାବୀକୁ ନେଇ ବିଧାନସଭା ଆଗରେ ଧାରଣା ମଧ୍ୟ ଦେଇଥିଲେ । ଯଦି ଆଗାମୀ ଦିନରେ ଟିଟଲାଗଡ଼କୁ ରାଜ୍ୟ ସରକାର ଜିଲ୍ଲା ଘୋଷଣା ନ କରନ୍ତି ତେବେ ଜୋରଦାର ଆନ୍ଦୋଳନ ହେବାସହ ଶାସକ ଦଳକୁ ଉଚିତ ଜବାବ ଲୋକେ ଦେବେ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ଭୋଇ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳରେ ବରିଷ୍ଠ ଆଇନଜୀବୀ ସୁବୋଧ ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ସତ୍ୟ ସାହୁ, ବଣିକ ସଂଘର ସଭାପତି ତରୁଣ ବେହେରା, ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ, ଆଲୋକ ସାହୁ ଓ ବିଶାଳ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ ।