ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୫ରୁ ଡିସେମ୍ବର ୧ ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।
ବୈଠକରେ ଲୋକସଭା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଧର୍ମଗଡ ଉପ-ଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ, ନର୍ଲା ଓ ଭବାନୀପାଟଣା ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ।
ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ଉପରେ ମତ ଦେଇଥିଲେ। ସାଂସଦ ଶ୍ରୀ ପଣ୍ଡା ଗତ ଖରିଫରେ ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀମାନେ କଟନି ଛଟନିର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ଏହି ବିଷୟକୁ ନେଇ ଜିଲ୍ଲାପାଳ ସମସ୍ତ ମିଲର ନିଜର ଏଜେଣ୍ଟ ଓ ଷ୍ଟାଫ୍ ଙ୍କ ତାଲିକା ସିଏସ୍ଓଙ୍କୁ ଦେବେ ଓ ସେମାନଙ୍କୁ ଆଇଡି କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ।
ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ମଣ୍ଡିରେ ଦଲାଲର ପ୍ରବେଶକୁ କଟକଣା ଲଗାଯାଇ କଟନି ଛଟନି ଯୋଗୁଁ ଚାଷୀ କିଭଳି ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି ନିଜ ମଣ୍ଡିଗସ୍ତ ଅନୁଭୂତିକୁ ପ୍ରକାଶ କଲେ ଏବଂ ସେଭଳି ମିଲର ଦ୍ଵାରା ସଂଯୋଗ ହୋଇଥିବା ଟ୍ରାନ୍ସପୋର୍ଟ ୟୁନିଆନର ଟ୍ରକ୍ ମାନଙ୍କ ଅନିୟମିତ ଚାଳନା ଯୋଗୁଁ ଚାଷୀମାନେ ଅନେକ ମଣ୍ଡିରେ ସପ୍ତାହ ପର୍ଯ୍ୟନ୍ତ ଧାନ ବିକ୍ରୟରେ ଅସୁବିଧା ଭୋଗ କରୁଛନ୍ତି ଓ ଅନେକ ଟୋକନ୍ ସୀମା ସମାପ୍ତ ହୋଇଯିବା ଭୟରେ କମ୍ ଦରରେ ଦଲାଲକୁ ବିକ୍ରି କରୁଛନ୍ତି। ଏହାକୁ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।
ସାଂସଦ ଶ୍ରୀ ପଣ୍ଡା ଅଭାବୀ ବିକ୍ରିକୁ ରୋକିବା ପାଇଁ ନିର୍ଦ୍ଧିଷ୍ଟ ପ୍ରମୁଖ ଆର୍ଏମ୍ସି ମଣ୍ଡି ବର୍ଷ ସାରା ଖୋଲିବାକୁ ପ୍ରସ୍ତାବ ଦିଆଯାଉ ବୋଲି କହିଥିଲେ। ସଭାରେ ଗନି ବ୍ୟାଗ୍ର ଅସୁବିଧା, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ, ଟୋକନ୍ ସମୟ ସୀମା ଓ ଜିଲ୍ଲାପାଳଙ୍କୁ କ୍ଷମତା ଉପରେ ଆଲୋଚନା ହୋଇଥିଲା। ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରସାଶନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା।
ଚଳିତ ବର୍ଷ ଏଫ୍ଏକ୍ୟୁ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୪୦ ଟଙ୍କା ଏବଂ ଗ୍ରେଡ ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୬୦ ଟଙ୍କା ରଖାଯାଇଛି। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୯୮୩୩୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ଖରିଫ ଋତୁରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଖରିଫ ୨୦୨୨-୨୩ରେ ଭବାନୀପାଟଣା ଓ ଧର୍ମଗଡ ସବ ଡିଭିଜନରେ ୭୪ଟି ପାକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ।
ଏହା ବ୍ୟତୀତ ଧାନ ବିକ୍ରୟ ପାଇଁ ଅସୁବିଧା ଭୋଗୁଥିବା ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ଜୁନାଗଡ ବିଧାୟକ ତଥା ସାଂସଦ କେତେକ ସ୍ଥାନର ଅନ୍ତର୍ଭୁକ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ସଭାରେ ଚାଷୀ ପ୍ରତିନିଧି ଦୀପ୍ତି ରଞ୍ଜନ ପ୍ରହରାଜ, ବିଶିଷ୍ଟ ଚାଷୀ ପ୍ରଶାନ୍ତ ପାଟ୍ଟଯୋଶୀ, ମିଲର ସଭାପତି ନଳିନୀ ପାଟ୍ଟଯୋଶୀ, ମହେଶ ଅଗ୍ରୱାଲ, ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ, ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।