ଭିଟାମାଟି ଛାଡିଲେ ୧୫ କାଶ୍ମୀର ପଣ୍ଡିତ ପରିବାର

ଶ୍ରୀନଗର,ଏଜେନ୍ସି: ପୁଣି ଘାଟିରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ଘଟଣା ସାମ୍ନାକୁ ଆସିଛି । କାଶ୍ମୀର ପଣ୍ଡିତ ପୁରନ କ୍ରିଷ୍ଣନ ଭଟ୍ଟଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ପୁଣି ଥରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଛିଡା ହୋଇଛି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପ୍ରାୟ ୧୫ କାଶ୍ମୀର ପରିବାର ସେମାନଙ୍କ ଭିଟା ମାଟି ଛାଡି ଅନ୍ୟତ୍ର ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି ।

ମୃତ କାଶ୍ମୀର ପଣ୍ଡିତ ପୂରାଣ କ୍ରିଷ୍ଣନ ଭଟ୍ଟଙ୍କ ସମ୍ପର୍କୀୟ ଭାଇ ଟି.କେ ଭଟ୍ଟ ଇଟିଭି ଭାରତ ସହ ସାକ୍ଷାତକାରରେ କହିଛନ୍ତି, ଭଟ୍ଟଙ୍କ ହତ୍ୟା ପରେ ଭୟରେ ପ୍ରାୟ ୧୫ କାଶ୍ମୀର ପରିବାର ଘାଟି ଛାଡି ସାରିଛନ୍ତି । ୧୫ ଅକ୍ଟୋବରରେ ସୋପିଆନ ଜିଲ୍ଲାରେ ନିଜ ଘର ସାମ୍ନାରେ କାଶ୍ମୀର ପଣ୍ଡିତ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ଘାଟିରେ ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପଣ୍ଡିତ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବା ସହ ସେମାନଙ୍କ ସୁରକ୍ଷା ନେଇ ଆନ୍ଦୋଳନ କରିଥିଲେ ।

୯୦ ଦଶକରେ ଘାଟିରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଆନ୍ଦୋଳ ଚରମ ସୀମାରେ ପହଞ୍ଚିଥିଲା । ଏହି ସମୟରେ କାଶ୍ମୀରରେ ଥିବା ପଣ୍ଡିତ ପରିବାର ଧର୍ମୀୟ ଉତ୍ପୀଡନ ଓ ଗଣହତ୍ୟାର ଶିକାର ହୋଇଥିଲେ । ହଜାର ହଜାର କାଶ୍ମୀର ପଣ୍ଡିତ ପରିବାର ପ୍ରାଣ ଭୟରେ ରାତାରାତି ଘାଟି ଛାଡିବାକୁ ବାଧ୍ୟ ହୋଇଥିଲେ । ଅନେକ ହତ୍ୟା ଓ ଦୁଷ୍କର୍ମ ପରି ବର୍ବରତାର ଶିକାର ମଧ୍ୟ ହୋଇଥିଲେ । ଏବେ ସୁଦ୍ଧା ମଧ୍ୟ ସେମାନେ ଘାଟିକୁ ଫେରିବାକୁ ସକ୍ଷମ ହୋଇନାହାନ୍ତି ।