ଦେବଗଡ଼,ଏନ୍ଏନ୍ଏସ୍: ତୃଷାର୍ତ୍ତ କହି ପିଇବା ପାଇଁ ପାଣି ମାଗିଲେ। ଘରେ ଏକୁଟିଆ ଥିବା ସୁଯୋଗରେ ବିଧବା ମହିଳାଙ୍କୁ ଦୁଷ୍କର୍ମ କଲେ। ଏଭଳି ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ଟାଇଁସର ପଞ୍ଚାୟତ ତ୍ରିନାଥପୁର ଗ୍ରାମରେ। ପୀଡିତାଙ୍କ ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରିବାସହ ଘଟଣାର ତଦନ୍ତ କରି ଫେରାର ଅଭିଯୁକ୍ତ ଦ୍ବୟଙ୍କୁ ୪୮ ଘଣ୍ଟା ମଧ୍ୟରେ କାବୁ କରିବା ସହ ଗିରଫ କରି ଅଧିକ ପଚରାଉଚୁରା ଜାରି ରଖିଛି। ଆସନ୍ତାକାଲି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି।
ମିଳିଥିବା ସୂଚନା ଅନୁଯାଇ ଗତ ୧୫ ତାରିଖ ଦିନ ରିଆମାଳା ଥାନା ଅନ୍ତର୍ଗତ ଝାରପଡା ଗ୍ରାମର ଦଶମୀ ଶବର ଓ ସଞ୍ଜୟ ଶବର କୌଣସି ଏକ କାମରେ ଧ୍ବଜାଗ୍ରାମରେ ଥିବା ସେମାନଙ୍କ କୌଣସି ସମ୍ପର୍କୀୟଙ୍କ ଘରୁ ଫେରିବା ବାଟରେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ତ୍ରିନାଥପୁର ଗ୍ରାମରେ ରହୁଥିବା ପୀଡିତାଙ୍କ ଘର ନିକଟରେ ପହଞ୍ଚି ଶୋଷିଲା ଥିବା କହି ପିଇବା ପାଇଁ ପାଣି ମାଗିଥିଲେ। ପୀଡିତା ଜଣକ ପାଣି ଦେଇ ନିଜ ଘର ବାରଣ୍ଡାରେ ଥିବା ଖଟିଆ ଉପରେ ବସିଥିବା ବେଳେ ଅଭିଯୁକ୍ତ ଦ୍ବୟ ବଳପୂର୍ବକ ଦୁଷ୍କର୍ମ କରି ଘଟଣା ସମ୍ପର୍କରେ ଅନ୍ୟ କାହା ଆଗରେ ପ୍ରକାଶ କଲେ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।
ଦୁଷ୍କର୍ମର ଶିକାର ପୀଡିତା ଜଣକ ଗୁରୁତର ହେବା ସହ ଭୟଭିତ ହୋଇ ପଡ଼ିଥିବାରୁ ତୁରନ୍ତ ପୁଲିସ ନିକଟରେ ପହଞ୍ଚି ପାରିନଥିବା ବେଳେ ନିଜ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଗତ ରବିବାର ଏ ନେଇ ଦେବଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ପରେ ଦେବଗଡ଼ ଥାନା ପୁଲିସ ଦଫା ୪୫୦, ୩୭୬(ଡି), ୩୨୩ ଓ ୫୦୬ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତ ମାନେ ଘଟଣା ପରେ ଫେରାର ଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ଦୁଇ ଅଭିଯୁକ୍ତଙ୍କୁ ପୁଲିସ କାବୁ କରି ଗିରଫ କରିଛି।