କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତକେଲା ଫାଣ୍ଡି ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତର ମାଲପଡ଼ା ଛକ ନିକଟରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ କେସିଙ୍ଗା ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଉଛନ୍ତି ପଥର୍ଲା ଗ୍ରାମପଞ୍ଚାୟତର ମାଲପଡ଼ା କଲୋନୀ ପଡ଼ାର କିଷାନ ବାଗ (୨୫) । ଏହା ପଛର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ଏସଡିପିଓ ଅଭିନବ ସୋନକର, ଅତିରିକ୍ତ ଆଇଆଇସି ମମତା ହେମ୍ରମ, ଏସଆଇ ଡି ମୋହନ, ଉତକେଲା ଫାଣ୍ଡିଧିକାରୀ ପ୍ରେମରାଜ କହଁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଭବାନୀପାଟଣାରୁ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏନେଇ ଏସଡିପିଓ ଶ୍ରୀ ସୋନକରଙ୍କୁ ପଚାରିବାରୁ ଆମେ ମୃତଦେହ ଉଦ୍ଧାର କରିଛୁ ତଦନ୍ତ ଜାରି ରହିଛି ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ଏବେ ଆମେ ଅପମୃତ୍ୟୁ ମାମଲା ରୁଜୁ କରିଛୁ ବୋଲି କହିଛନ୍ତି । ହେଲେ ପରିବାର ଲୋକେ ଓ ଗ୍ରାମବାସୀ ହତ୍ୟା ସନ୍ଦେହ କରୁଛନ୍ତି । ଗତ ରାତିରେ ମୃତକ ନିଜ ଭଉଣୀ ଘର ଲଇତରା ଯାଇ ସନ୍ଧ୍ୟାରେ ଘରକୁ ଫେରିଥିଲେ ଓ ସେ ସ୍ୱାଭାବିକ ଥିଲେ ସେଥିପାଇଁ ପଥରଲା ପଞ୍ଚାୟତ ସମିତି ସଭ୍ୟ ରୋମାଞ୍ଚଳ ରଣା ଆତ୍ମହତ୍ୟାକୁ ଅସ୍ୱୀକାର କରିଛନ୍ତି । କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।