ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏଭଳି ସ୍ଥିତିରେ ୟୁକ୍ରେନ ରାଜଧାନୀ କିଭ ଉପରେ ଋଷ କେମିକେଜ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି । ଫଳରେ ଅନେକ ଆବାସିକ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଋଷ କେମିକେଜ ଡ୍ରୋନ ଦ୍ୱାରା ୟୁକ୍ରେନକୁ ଆକ୍ରମଣ କରିଛି । ଇତିମଧ୍ୟରେ ୟୁକ୍ରେନର ଡୋନବାସ କ୍ଷେତ୍ରର ୨ଟି ସହର ସୋଲେଦାର ଓ ବଖମୁଟ ପାଖରେ ଜୋରଦାର ଲଢ଼େଇ ଜାରି ରହିଥିବା ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ୟୁକ୍ରେନ ଓ ଋଷ ମଧ୍ୟରେ ଗତ ୭ ମାସ ହେବ ଜୋରଦାର ଲଢ଼େଇ ଜାରି ରହିଛି । ଫଳରେ ଉଭୟ ଦେଶର ହଜାରେରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇ ଥିବାବେଳେ ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଏହାର ପ୍ରଭାବ ଅନେକ ଦେଶର ଅର୍ଥ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଛି । ପରିଣାମସ୍ୱରୂପ ଅନେକ ଦେଶର କଞ୍ଚା ତେଲ ଓ ଖାଦ୍ୟଶସ୍ୟ ଦରବୃଦ୍ଧି ହୋଇଛି । ଅନ୍ୟପଟେ ଯୁଦ୍ଧ କେବେ ଥମିବ ତାହା କାହାକୁ ଜଣାନାହିଁ ।