ସୋପୁରରେ ଏନକାଉଣ୍ଟର: ୨ ଆତଙ୍କୀ ସଫା, ଅପରେସନ ଜାରି

ଶ୍ରୀନଗର,ଏଜେନ୍ସି: ଦକ୍ଷିଣ କାଶ୍ମୀରର ସୋପୁର ଜିଲ୍ଲାରେ ଜାରି ରହିଥିବା ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ୨ ଜଣ ଆତଙ୍କୀଙ୍କୁ ନିପାତ କରାଯାଇଛି । ଆଜି ସୋପୁରରେ ଜାରି ରହିଥିବା ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ-ଆତଙ୍କୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସୁରକ୍ଷା ବଳ ସଫଳତା ପାଇଛି ।

ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୁରକ୍ଷାବଳ ପକ୍ଷରୁ ସୂଚନା ମିଳିଛି । ଗତ କିଛି ଦିନ ହେବ ଆତଙ୍କବାଦୀ ନିରୋଧି ଅଭିଯାନକୁ ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଜୋରଦାର କରାଯାଇଥିବା ବେଳେ ଗୁଇନ୍ଦା ସୁଚନା ଆଧାରରେ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରୁଛି ସୁରକ୍ଷା ବଳ । ଗତ କିଛି ଦିନ ମଧ୍ୟରେ ସୁରକ୍ଷାବଳକୁ ଗୋଟିଏ ପରେ ଗୋଟିଏ କ୍ରମାଗତ ସଫଳତା ମିଳିବାରେ ଲାଗିଛି ।

କାଶ୍ମୀର ପୋଲିସ ଟ୍ବିଟରେ କହିଛି, ଏହି ଆତଙ୍କୀମାନେ ନିକଟରେ ଘାଟିରେ ହୋଇଥିବା ଏକାଧିକ ଆକ୍ରମଣରେ ସାମିଲ ଥିଲେ । ସ୍ଥାନୀୟ ପୋଲିସ ସେମାନଙ୍କ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଜାରି ରଖିଛି । ପୋଲିସର ଆତଙ୍କୀ ନିରୋଧୀ ଅପରେସନକୁ ବ୍ୟାପକ ଭାବେ ଜାରି ରହିଛି । ଖାସ କରି ସୀମାପାର ଆତଙ୍କୀଙ୍କୁ ନିପାତ କରିବା ପାଇଁ ଏହି ଅପରେସନକୁ ବ୍ୟାପକ ଓ ତ୍ବାରାନ୍ବିତ କରାଯାଇଥିବା କାଶ୍ମୀର ଜୋନ ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛି । ନିକଟରେ ହୋଇଥିବା ଆତଙ୍କବାଦୀ ନିରୋଧୀ ଅପରେସନରେ କ୍ରମାଗତ ଭାବେ ଭାରତୀୟ ସୁରକ୍ଷାବଳ ସଫଳତା ପାଇବାରେ ଲାଗିଛି । ଏକାଧିକ ଆତଙ୍କୀ ମଧ୍ୟ ସେନା ଗୁଳିରେ ଟଳି ସାରିଲେଣି । ଆଜି ଦୁଇ ଆତଙ୍କୀ ସଫା ହୋଇଛନ୍ତି ।