ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଅବକାରୀ ବିଭାଗ ପକ୍ଷରୁ ଗଣେଷ ମେଳା ପାଇଁ କରାଯାଉଥିବା ସ୍ୱତନ୍ତ୍ର ଯାଞ୍ଚ ସମୟରେ ବେଆଇନ ଗଞ୍ଜେଇ ସହ ଜଣେ ଯୁବକକୁ ଗିରଫ ହୋଇଛି । ଗିରଫ ଯୁବକ ଜଣକ ହେଲେ ପୁରୁଣାଗଡ଼ ପୁଲିସ ଲାଇନ ଅଞ୍ଚଳର ଚିତ୍ତରଞ୍ଜନ ବିଶ୍ୱାଳ । ମିଳିଥିବା ରିପୋର୍ଟ ମୁତାବକ, ଆଜି ଅବକାରୀ ନିରୀକ୍ଷକ ମଧୁସୂଦନ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ସକାଳୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ କଲେଜ ରୋଡରେ ଚିତ୍ତରଞ୍ଜନକୁ ସନ୍ଦେହଜନକ ଅବସ୍ଥାରେ ଦେଖି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ତାଙ୍କ ନିକଟରୁ ସାଢ଼େ ଚାରି କିଲୋ ବେଆଇନ ଗଞ୍ଜେଇ ବାହାରିବା ପରେ ଅବକାରୀ ବିଭାଗ କର୍ମଚାରୀମାନେ ଗଞ୍ଜେଇ ଜବତ କରିବା ସହ ଚିତ୍ତରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।