ସୋନାଲି ଫୋଗାଟ ମୃତ୍ୟୁ: ହତ୍ୟା ମାମଲା ଦାୟର କଲା ଗୋଆ ପୁଲିସ

ନୂଆଦିଲ୍ଲୀ: ବିଜେପି ନେତା ତଥା ଅଭିନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ଗୋଆ ପୁଲିସ ହତ୍ୟା ମାମଲା ଦାୟର କରିଛି । ସୋନାଲିଙ୍କ ଭାଇ ରିଙ୍କୁ ଢାକାଙ୍କ ଅଭିଯୋଗ ଅନୁସାରେ ପୁଲିସ ହତ୍ୟା ମାମଲା ଦାୟର କରିଥିବା ଜଣାପଡ଼ିଛି । ଇତିମଧ୍ୟରେ ସୋନାଲିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଏଥିରେ ସୋନାଲିଙ୍କ ଶରୀରରେ ଅନେକ ଆଘାତ ଲାଗିଥିବା ସୂଚନା ମିଳିଛି ।

ପୁଲିସର କହିବାନୁସାରେ, ହରିୟାଣାର ହିସାରରେ ରହୁଥିବା ସୋନାଲିଙ୍କୁ ସନ୍ଦିଗ୍ଧ ରୂପେ ହୃଦଘାତ ହୋଇଥିଲା ସେଥିପାଇଁ ତାଙ୍କୁ ଗୋଆର ଅଞ୍ଜୁନା ଜିଲ୍ଲାର ସେଣ୍ଟ ଏନ୍ଥୋନୀ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପୋଷ୍ଟମର୍ଟମ ପ୍ରକ୍ରିୟା ବୁଧବାର ଗୋଆ ମେଡିକାଲ କଲେଜ ଓ ହସ୍ପିଟାଲରେ ହେବାର ଥିଲା କିନ୍ତୁ ସୋନାଲିଙ୍କ ଭାଇ ରିଙ୍କୁ ତାଙ୍କ ଭଉଣୀଙ୍କୁ ୨ଜଣ ସାଥୀ ମାରିଥିବା ଦାବି କରିଥିଲେ । ଗୋଆ ପୁଲିସ ଉଭୟଙ୍କ ବିରୋଧରେ ମାମଲା ଦାୟ କରିବା ପରେ ହିଁ ପୋଷ୍ଟମର୍ଟମ ପାଇଁ ଅନୁମତି ଦିଆଯିବ ବୋଲି ରିଙ୍କୁ କହିଥିଲେ ।