ରାମନାଗୁଡା,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ଅନ୍ତର୍ଗତ ରାୟଗଡ଼ ଜିଲ୍ଲା ନିମନ୍ତେ ଦାୟିତ୍ୱରେ ଥିବା କେନ୍ଦ୍ରୀୟ ପ୍ରଭାରୀ ଜି ଶ୍ରୀନିବାସ(ଭାପ୍ରସେ) ଦିନିକିଆ ରାମନାଗୁଡ଼ା ବ୍ଲକ ପରିଦର୍ଶନରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ରୁଗୁଡ଼ୁବାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ପରେ ଲିଙ୍ଗରାଇରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରାଯାଇଥିବା ଅମୃତ ସରୋବର ଦେଖିଥିଲେ । ସେହିପରି ୫ଟି ରୂପାନ୍ତରିତ ବିଦ୍ୟାଳୟ ରାମନାଗୁଡ଼ା ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷାଦାନ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ମତ୍ସ୍ୟ ସମ୍ପଦ ବିଭାଗ ସହାୟତାରେ ସୋରିଷପଦରରେ ମାଛ ଚାଷ ପୋଖରୀ ପରିଦର୍ଶନ କରିଥିଲେ । ଶେଷରେ ଉଦ୍ୟାନ ବିଭାଗ ସହାୟତାରେ ଲବଗୁଡ଼ାରେ ୩୦ଏକର ପରିମିତ ଜମିରେ ବୁନ୍ଦା ଜଳ ସେଚନ ପ୍ରଣାଳୀରେ ଅଏଲପାମ ଚାଷ ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ପ୍ର୍ରକଳ୍ପ ନିର୍ଦ୍ଦେଶକ ରାୟଗଡ଼ ରବି ନାରାୟଣ ତ୍ରିପାଠୀ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ରାୟଗଡ଼, ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବର, ସହକାରୀ ଯନ୍ତ୍ରୀ ପ୍ରତାପ ମିଶ୍ର, ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣି, ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ଚୁଲକାନ୍ତି ତାଜାନ, ବ୍ଲକ ମତ୍ସ୍ୟ ଅଧିକାରୀ ବର୍ଷାରାଣୀ ପାଢ଼ୀ ଓ ଅନ୍ୟ ସରକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।