ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ସରକାର ଗତ ୨୦ ବର୍ଷରେ ଅର୍ଥାତ ୨୦୦୧-୦୨ରୁ ୨୦୨୨-୨୩ ମଧ୍ୟରେ ୧ ଲକ୍ଷ ୫୦ ହଜାର ୧୩୬ କୋଟି ଟଙ୍କାର ଋଣ ଉଠାଇଛନ୍ତି । ଏହି ଅବଧି ମଧ୍ୟରେ ସରକାର ସୁଧ ବାବଦକୁ ଦେଇଛନ୍ତି ୭୯ ହଜାର ୨୬୧ କୋଟି ଟଙ୍କା । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ସୋମବାର ଶାସକ ବିଧାୟକ ଅରବିନ୍ଦ ଢାଲିଙ୍କ ପ୍ରଶ୍ନରେ ଉତ୍ତର ଦେଇ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଭିତ୍ତିଭୂମି ବିକାଶ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ସରକାର ଖୋଲା ବଜାରରୁ ଋଣ ଆହରଣ କରିଥାନ୍ତି । ଖଣିରୁ ଯଥେଷ୍ଟ ପରିମାଣରେ ରାଜସ୍ୱ ମିଳିଥିବାରୁ ଗତ ବର୍ଷଠାରୁ ଅଦ୍ୟାବଧି ସରକାର ଖୋଲା ବଜାରରୁ ଆଦୌ ଋଣ କରି ନାହାନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ଖୋଲା ବଜାରରୁ ୨,୨୫୯ କୋଟି ଟଙ୍କା ଋଣ ଉଠାଇବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ଷ ଶେଷରେ ଖୋଲା ବଜାରରୁ ଋଣ ଆହରଣ ପରିମାଣ ଆକଳନ ଠାରୁ କମ୍ ରହିଛି । ମହାଲେଖାକାର, ଓଡ଼ିଶାଙ୍କ ଠାରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ରହିଛି । ୨୦୦୧-୦୨ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ଆହରଣ କରାଯାଇଥିବା ଋଣ ଏବଂ ସୁଧ ଦେୟର ଆନୁପାତିକ ହାର ପରିମାଣ ପ୍ରାୟ ୫୩% ।
କୋଡ଼ିଏ ବର୍ଷ ଭିତରେ ସରକାର ସୁଧ ବାବଦକୁ ୭୯ ହଜାର ୨୬୧ କୋଟି ଟଙ୍କା ପୈଠ କରିଛନ୍ତି । ୨୦୦୧-୦୨ରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଖାଯାଇଛି ଯେ ରାଜ୍ୟ ସରକାରଙ୍କ ଋଣ ଆହରଣ ପରିମାଣ ଯେଉଁ ପରିମାଣରେ ବଢ଼ିଛି, ସୁଧ ଦେୟ ପରିମାଣ ମଧ୍ୟ ସେହି ଅନୁପାତରେ ବଢ଼ିଛି । ୨୦୦୧-୦୨ ଆର୍ଥିକ ବର୍ଷରେ ମୋଟ ୩୯୫୨.୫୬ କୋଟି ଋଣ ଆହରଣ ଥିବାବେଳେ ସୁଧ ଦେୟ ପରିମାଣ ୨୮୩୪.୯୫ କୋଟି ରହିଛି । ୨୦୦୫-୦୬ରେ ଋଣ ଆହରଣ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୬୯୭.୦୯ କୋଟି ରହିଛି ।
ସେହିପରି ୨୦୧୦-୧୧ରେ ଋଣ ଆହରଣ ୩୪୯୦.୪୬ କୋଟି ଥିବାବେଳେ ସୁଧ ଦେୟ ପରିମାଣ ୩୦୬୧.୪୫ କୋଟି, ୨୦୧୫-୧୬ରେ ଋଣ ଆହରଣ ୧୧,୬୨୫.୩୨ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୩୩୪୩.୨୯ କୋଟି, ୨୦୨୦-୨୧ରେ ୨୦୯୨୯.୧୭ ଋଣ ଆହରଣ ଥିବାବେଳେ ସୁଧ ଦେୟ ପରିମାଣ ୬୬୪୨.୭୯ କୋଟି ଏବଂ ୨୦୨୧-୨୨ରେ ଋଣ ଆହରଣ ୧୨,୫୫୫୧.୦୩ କୋଟି ଟଙ୍କା ଥିବାବେଳେ ସୁଧ ଦେୟ ପରିମାଣ ୬୩୪୨.୪୫ କୋଟି ରହିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ ଅବଗତ କରିଛନ୍ତି ।